
ମନମୋହନ ପଡ଼ିଆରେ ରାବଣ ପୋଡ଼ି ଉପରୁ ରୋକ୍ ହଟାଇବାକୁ ଦାବି
ଏସ୍ପିଙ୍କୁ ଭେଟିଲେ ବିଭିନ୍ନ ଦୁର୍ଗାପୂଜା କମିଟି ସଦସ୍ୟ ଓ ବୁଦ୍ଧିଜୀବୀ, ପରମ୍ପରା ରକ୍ଷା ପାଇଁ ଉଦ୍ୟମ
ଝାରସୁଗୁଡ଼ା, 14 ଅକ୍ଟୋବର (ହି.ସ.) : ସହରର ମନମୋହନ ସ୍କୁଲ ପଡ଼ିଆରେ ଦୀର୍ଘବର୍ଷ ଧରି ଆୟୋଜିତ ହୋଇଆସୁଥିବା ଦଶହରା ରାବଣ ପୋଡ଼ି ଉତ୍ସବ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକ୍ ଲଗାଯାଇଥିବାରୁ ସହରର ବିଭିନ୍ନ ଦୁର୍ଗାପୂଜା କମିଟି ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପାରମ୍ପରିକ ଉତ୍ସବ ଉପରୁ ରୋକ୍ ହଟାଇବା ଦାବିରେ ଗତକାଲି ସନ୍ଧ୍ୟାରେ ବିଭିନ୍ନ ଦୁର୍ଗାପୂଜା କମିଟିର ସଦସ୍ୟ ଓ ବୁଦ୍ଧିଜୀବୀମାନେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍ପି) ରାଘବେନ୍ଦ୍ର ରେଡ୍ଡୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।
ଗତ ୨୯ ତାରିଖରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକରେ ମନମୋହନ ପଡ଼ିଆରେ ରାବଣ ପୋଡ଼ି ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହି ବୈଠକ ପରେ ଏହି ଉତ୍ସବ ଉପରେ କଟକଣା ଲାଗିବା ନେଇ ଆଭାସ ମିଳିଥିଲା। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ସବ ଆୟୋଜନ ଉପରେ ରୋକ୍ ଲଗାଯାଇଥିବାରୁ ଏହାକୁ ନେଇ ପୂଜା କମିଟି ସଦସ୍ୟ ଓ ସହରର ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପୂଜା କମିଟିର ପ୍ରତିନିଧିମାନେ ଏସ୍ପିଙ୍କୁ ଭେଟି ମନମୋହନ ସ୍କୁଲ ପଡ଼ିଆରେ ପୂର୍ବପରି ରାବଣ ପୋଡ଼ି ଉତ୍ସବ ଆୟୋଜନ ପାଇଁ ଅନୁମତି ଦେବା ସହ ଏହା ଉପରୁ କଟକଣା ହଟାଇବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଏସ୍ପିଙ୍କ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବା ପୂଜା କମିଟି ସଦସ୍ୟମାନେ କହିଛନ୍ତି।
ସୂଚନାଯୋଗ୍ୟ, ମନମୋହନ ପଡ଼ିଆରେ ରାବଣ ପୋଡ଼ି ଉତ୍ସବର ଆରମ୍ଭ ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ସମୟରେ ହୋଇଥିଲା। ଦୀର୍ଘବର୍ଷ ଧରି ଏହି ଉତ୍ସବ ଦଶହରାର ଏକ ପ୍ରମୁଖ ଆକର୍ଷଣ ଭାବେ ପରିଚିତ ହୋଇଆସିଛି। ଏହା ସହ ସହରବାସୀଙ୍କ ଭାବାବେଗ ଓ ପରମ୍ପରା ଜଡ଼ିତ ରହିଥିବାରୁ ଉତ୍ସବ ବନ୍ଦ ହେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଅତୀତରେ ମଧ୍ୟ ବିଭିନ୍ନ କାରଣରୁ ଏହି ଉତ୍ସବ ଆୟୋଜନରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ ହୋଇଥିବା ଏବଂ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା କୁହାଯାଉଛି। ତେଣୁ ପରମ୍ପରା ଓ ଜନଭାବନାକୁ ଗୁରୁତ୍ୱ ଦେବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାବଣ ପୋଡ଼ି ଉତ୍ସବ ଆୟୋଜନ ପାଇଁ ପ୍ରଶାସନ ସହଯୋଗ କରିବାକୁ ଦାବି ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ବିରୋଧ ତୀବ୍ର ହେବାର ଆଶଙ୍କା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ