ରାଉରକେଲା ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତାକୁ ଅଧିକ ସୁଦୃଢ଼ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୨.୧୧ କୋଟି ଟଙ୍କା ନିବେଶ
TPWODL invest 2.11 crore
ରାଉରକେଲା ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତାକୁ ଅଧିକ ସୁଦୃଢ଼


ନେଟୱର୍କର ସ୍ଥିରତା, ନିରାପଦ ବିଦ୍ୟୁତ୍ ବିତରଣ ଓ ବର୍ଦ୍ଧିତ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ୯ଟି ଭିତ୍ତିଭୂମି ପ୍ରକଳ୍ପ ସମ୍ପନ୍ନ ହେବା ସହ କାର୍ଯ୍ୟକ୍ଷମ ।

ଝାରସୁଗୁଡା , 14 ଅକ୍ଟୋବର (ହି.ସ.)ରାଉରକେଲା ସହର ସହ ଏହାର ଆଖପାଖ ଅଞ୍ଚଳରେ ଘରୋଇ ଉପଭୋକ୍ତା, ଶିଳ୍ପ ଓ ଖଣି କ୍ଷେତ୍ରକୁ ଅଧିକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରାୟ ୨.୧୧ କୋଟି ଟଙ୍କା ବ୍ୟୟରେ ୯ଟି ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହ କାର୍ଯ୍ୟକ୍ଷମ କରାଯାଇଅଛି । ଏହି କାର୍ଯ୍ୟଗୁଡ଼ିକ ମାଧ୍ୟମରେ ପୁରୁଣା ବିଦ୍ୟୁତ୍ ଲାଇନ୍ର ଉନ୍ନତୀକରଣ, ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଏବଂ ଖୋଲା ତାର ବଦଳରେ ଅଧିକ ସୁରକ୍ଷିତ ଏବି କେବଲ୍ ବିଛାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ହଜାର ହଜାର ଉପଭୋକ୍ତା ଉପକୃତ ହେବା ସହ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସ୍ଥିରତା ଓ ଜନସୁରକ୍ଷାରେ ଉନ୍ନତି ଆସିବ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ସର୍ବାଧିକ ୧.୪ କୋଟି ଟଙ୍କା ବ୍ୟୟରେ ଯୋଡ଼ା–ଟେନ୍ସା–ବରସୁଆଁ ଖଣି ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିକୁ ଆଧୁନିକୀକରଣ କରାଯାଇଛି । ଏଥିରେ ପୁରୁଣା ୩୩ କେଭି ଓଭରହେଡ୍ ଲାଇନ୍ର ପରିବର୍ତ୍ତନ, ପୋଲ୍ ଓ କଣ୍ଡକ୍ଟରର ଉନ୍ନତୀକରଣ, ଏକ ଶିଳ୍ପ ସୁଡ଼ଙ୍ଗ ଦେଇ ୧୧ କେଭି ଅଣ୍ଡରଗ୍ରାଉଣ୍ଡ କେବଲ୍ ସ୍ଥାପନ ଏବଂ ବରସୁଆଁ ପାୱାର ଷ୍ଟେସନ୍କୁ ଟେନ୍ସା ପାୱାର ସବ୍ଷ୍ଟେସନ୍ ସହ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାରେ ସଂଯୋଗ କରାଯାଇଛି । ପ୍ରାୟ ୬୦ ବର୍ଷ ପୁରୁଣା ଲାଇନ୍ର ଦୁର୍ବଳ ଅବସ୍ଥା ଏବଂ ଶିଳ୍ପ ଓ ଖଣି କ୍ଷେତ୍ରରେ ବଢ଼ୁଥିବା ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରାଯାଇଛି । ସେଲ୍ ମାଇନ୍ସ ଏବଂ ଅନ୍ୟ ସହଯୋଗୀ ସଂସ୍ଥାଙ୍କ ସମନ୍ୱୟରେ ଜଙ୍ଗଲ ଅନୁମତି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ପ୍ରକଳ୍ପଟି ସମ୍ପନ୍ନ ହୋଇଛି । ଏହାଦ୍ୱାରା ଖଣି, ଶିଳ୍ପ, ଆବାସିକ କଲୋନୀ ଓ ଆଖପାଖ ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ଅଧିକ ନିର୍ଭରଯୋଗ୍ୟ ହେବ ।

ସେହିପରି ବାସନ୍ତୀ କଲୋନୀରେ ୩୧.୧ ଲକ୍ଷ ଟଙ୍କାର ବ୍ୟୟରେ ୬ଟି ପ୍ରକଳ୍ପ ଅଧୀନରେ ପ୍ରାୟ ୭.୫ ସର୍କିଟ୍ କିଲୋମିଟର ଖୋଲା ଲୋ-ଟେନ୍ସନ୍ ତାରକୁ AB କେବଲ୍ରେ ପରିବର୍ତ୍ତନ କରାଯାଇଛି । ଏହି ଉନ୍ନତୀକରଣ କାର୍ଯ୍ୟ ଦ୍ୱାରା ପ୍ରାୟ ୧,୪୩୦ ଜଣ ଉପଭୋକ୍ତା ଉପକୃତ ହେବେ । ଏହା ସ୍ଥାନୀୟ ବିଦ୍ୟୁତ୍ ନେଟୱର୍କକୁ ଅଧିକ ସୁଦୃଢ଼ କରିବା ସହ ବାହ୍ୟ କ୍ଷତିର ଆଶଙ୍କା ହ୍ରାସ ଓ ଜନସୁରକ୍ଷାରେ ସହାୟକ ହେବ ।

ରାଉରକେଲାରେ ପ୍ରାୟ ୨୫ ଲକ୍ଷ ବ୍ୟୟରେ ୧୧ କେ.ଭି. ଶକ୍ତିନଗର ଅଣ୍ଡରଗ୍ରାଉଣ୍ଡ ଫିଡର୍ ନିର୍ମାଣ ଏବଂ ଜାମସେରା ଓ ଝିରପାଣି ଫିଡର୍ ମଧ୍ୟରେ ବିକଳ୍ପ ସଂଯୋଗ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ବିଦ୍ୟୁତ୍ ତ୍ରୁଟି କିମ୍ବା ରକ୍ଷଣାବେକ୍ଷଣ ସମୟରେ ବିକଳ୍ପ ମାର୍ଗରେ ଯୋଗାଣ ଜାରି ରଖିବା ସମ୍ଭବ ହେବ । ଶକ୍ତିନଗର, ଝିରପାଣି, ଜାମସେରା, ଜଗଦା ଓ ଆଖପାଖ ଅଞ୍ଚଳର ପ୍ରାୟ ୩,୦୦୦ ଉପଭୋକ୍ତା ଏହାଦ୍ୱାରା ଉପକୃତ ହେବେ। ଗ୍ରୀଷ୍ମ ଋତୁରେ ଆସିଥିବା କାଳବୈଶାଖୀ ଝଡ଼ ସମୟରେ ଏହି ଅଣ୍ଡରଗ୍ରାଉଣ୍ଡ ଫିଡର୍ କାର୍ଯ୍ୟକ୍ଷମ ରହିଥିଲା, ଯାହା ବିଦ୍ୟୁତ୍ ବାଧାକୁ ସୀମିତ ରଖିବା ଓ ଯୋଗାଣ ପୁନଃସ୍ଥାପନରେ ସହାୟତା କରିଥିଲା ।

ଏହାବ୍ୟତୀତ, ରାଉରକେଲାର କଳିଙ୍ଗ ବିହାରରେ ପ୍ରାୟ ୧୫ ଲକ୍ଷ ବ୍ୟୟରେ ୧.୭ କିଲୋମିଟର ଏବି କେବଲ୍ ସ୍ଥାପନ କରାଯାଇଛି । ଏହା ସ୍ଥାନୀୟ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବୈଷୟିକ କ୍ଷତି ହ୍ରାସ କରିବା ଓ ଜନସୁରକ୍ଷା ବୃଦ୍ଧିରେ ସହାୟକ ହେବ। କୋ-ଅପରେଟିଭ୍ କଲୋନୀର ପ୍ରାୟ ୭୫୦ ଉପଭୋକ୍ତା ଏହାର ସୁଫଳ ପାଇବେ ।

ଏହି ବିକାଶ ସମ୍ପର୍କରେ ଟିପିଡବ୍ଲୁଓଡିଏଲର ସିଇଓ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ବିଦ୍ୟୁତ୍ ଯୋଗାଣର ନିର୍ଭରଯୋଗ୍ୟତା ବୃଦ୍ଧି ଓ ଉପଭୋକ୍ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ନେଟୱର୍କ ଆଧୁନିକୀକରଣ ପ୍ରୟାସର ମୁଖ୍ୟ ଲକ୍ଷ୍ୟ। ଲକ୍ଷ୍ୟଭିତ୍ତିକ ଭିତ୍ତିଭୂମି ନିବେଶ, ଉନ୍ନତ ସଂଯୋଗ ବ୍ୟବସ୍ଥା ଓ ଆବଶ୍ୟକ ନେଟୱର୍କ ଉନ୍ନତୀକରଣ ମାଧ୍ୟମରେ ଆମେ ଏକ ଅଧିକ ସୁରକ୍ଷିତ ଓ ସ୍ଥିର ବିଦ୍ୟୁତ୍ ବ୍ୟବସ୍ଥା ଗଢ଼ି ତୋଳୁଛୁ, ଯାହା ଉପଭୋକ୍ତାଙ୍କ ବଢ଼ୁଥିବା ଆବଶ୍ୟକତା ପୂରଣ କରିବା ସହ ଶିଳ୍ପର ବିକାଶ ଓ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ପ୍ରଗତିରେ ଯୋଗଦାନ କରିବ।”

ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ନିଜର ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ଆଧୁନିକ କରିବା, ସ୍ଥାନୀୟ ନେଟୱର୍କ ସମସ୍ୟାର ସମାଧାନ କରିବା ଓ ଅଞ୍ଚଳର ଉପଭୋକ୍ତା ଏବଂ ଶିଳ୍ପାନୁଷ୍ଠାନଙ୍କ ପରିବର୍ତ୍ତିତ ବିଦ୍ୟୁତ୍ ଆବଶ୍ୟକତା ପୂରଣ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande