
ଜୟପୁର, 14 ଅକ୍ଟୋବର (ହି.ସ.) -କୋରାପୁଟ ଜିଲ୍ଲା ର ସୀମାନ୍ତ ବିବାଦିୟ କୋଟିଆର ବିକାଶ ନେଇ ସରକାରୀ ସ୍ତରରେ ଅନେକ ଯୋଜନା ଓ ପ୍ରତିଶ୍ରୁତି ଦିଆଯାଉଛି। ସେଠାକାର ଅଧିବାସୀଙ୍କୁ ସମସ୍ତ ସୁବିଧା ଦିଆଯାଉଛି । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆନ୍ଧ୍ର ନିଜ ଆଡକୁ ଆକର୍ଷଣ କରୁଥିବା ବେଳେ ଓଡିଶା ସରକାର ମଧ୍ୟ ତାହାର ମୁକାବିଲା କରୁଥିବା ବେଳେ ଗଛ ତଳେ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢାୁଥିବା ଘଟଣା ସାରା ରାଜଯରେ ଚହଲ ସ-ଷ୍ଟି କରିଛି । ହେଲେ ଏହି ଅଞ୍ଚଳର କେତେକ ଗ୍ରାମରେ ମୌଳିକ ସୁବିଧାର ଅଭାବ ଏବେ ବି ବିକାଶର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ଏହାର ଏକ ନଗ୍ନ ଉଦାହରଣ ହେଉଛି କୋଟିଆ ପଞ୍ଚାୟତର ବଡ଼ ବାରାବନ୍ଧ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୧୯୭୦ ମସିହାରୁ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲେ ମଧ୍ୟ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ପରେ ବି ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ହୋଇପାରିନାହିଁ। ଫଳରେ କୁନି କୁନି ପିଲାଙ୍କୁ ବିଦ୍ୟାଳୟ ବାରଣ୍ଡା ଓ ଗଛମୂଳେ ବସି ପାଠ ପଢ଼ିବାକୁ ପଡ଼ୁଛି।ବିଦ୍ୟାଳୟରେ ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୨ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ରହିଛି ମାତ୍ର ଗୋଟିଏ ୧୦ ଫୁଟ୍ ଗୁଣନ ୧୨ ଫୁଟ୍ର ଛୋଟ ଶ୍ରେଣୀଗୃହ। ଏହି ସଂକୀର୍ଣ୍ଣ କୋଠରିରେ ସମସ୍ତ ପିଲାଙ୍କୁ ବସାଇ ପାଠ ପଢ଼ାଇବା ସମ୍ଭବ ହେଉନାହିଁ। ତେଣୁ କେତେକ ପିଲା ଶ୍ରେଣୀଗୃହ ଭିତରେ, ଆଉ କେତେକ ବାରଣ୍ଡାରେ ଏବଂ ଅନ୍ୟମାନେ ଗଛମୂଳେ ବସି ପାଠ ପଢ଼ୁଛନ୍ତି। ପିଲାଙ୍କ ଭବିଷ୍ୟତ ଗଢ଼ିବାର ପ୍ରମୁଖ ସ୍ଥାନ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥା ପ୍ରତି ଅନେକ ପ୍ରଶ୍ନ ଉଠାଇଛି।କେବଳ ଶ୍ରେଣୀଗୃହର ଅଭାବ ନୁହେଁ, ଶିକ୍ଷକ ସମସ୍ୟା ମଧ୍ୟ ଏହି ବିଦ୍ୟାଳୟର ଶିକ୍ଷାଦାନକୁ ପ୍ରଭାବିତ କରୁଛି। ୪୨ ଜଣ ପିଲାଙ୍କୁ ପଢ଼ାଇବା ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ସେଥିମଧ୍ୟରୁ ଜଣେ ଶିକ୍ଷକ ଏସ୍ଆଇଆର୍ ତାଲିମ ପାଇଁ ଯାଇଥିବାରୁ ବର୍ତ୍ତମାନ ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ସମସ୍ତ ପିଲାଙ୍କୁ ପାଠ ପଢ଼ାଇବାର ଦାୟିତ୍ୱ ରହିଛି। ସେ ଗଛମୂଳେ, ବାରଣ୍ଡାରେ ଓ ଛୋଟ ଶ୍ରେଣୀଗୃହରେ ପିଲାଙ୍କୁ ପଢ଼ାଉଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଶ୍ରେଣୀର ପିଲାଙ୍କୁ ଏକାସାଙ୍ଗରେ ପଢ଼ାଇବା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।ଏହି ବିଦ୍ୟାଳୟକୁ ବଡ଼ ବାରାବନ୍ଧ, ତଳ ବାରାବନ୍ଧ ଓ ଆଖପାଖ ଗ୍ରାମର ପିଲାମାନେ ପଢ଼ିବାକୁ ଆସୁଛନ୍ତି। ଦୁର୍ଗମ ଅଞ୍ଚଳର ଏହି ପିଲାମାନଙ୍କ ପାଇଁ ବିଦ୍ୟାଳୟ ହିଁ ଶିକ୍ଷାର ପ୍ରମୁଖ ଆଶ୍ରୟସ୍ଥଳ। କିନ୍ତୁ ଶ୍ରେଣୀଗୃହ ଅଭାବରୁ ସେମାନଙ୍କୁ ଉପଯୁକ୍ତ ପରିବେଶରେ ପାଠ ପଢ଼ିବାର ସୁଯୋଗ ମିଳୁନାହିଁ। ବର୍ଷା, ଖରା ଓ ଅନ୍ୟ ପ୍ରତିକୂଳ ପାଗରେ ଗଛମୂଳେ କିମ୍ବା ବାରଣ୍ଡାରେ ପାଠ ପଢ଼ିବା କେତେ ଅସୁବିଧାଜନକ, ତାହା ସହଜରେ ଅନୁମେୟ।ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଚିନ୍ତାଜନକ। ସ୍କୁଲ ପାର୍ଶ୍ୱରେ ଖାଲ ରହିଥିବା ବେଳେ ଏଯାଏଁ ପାଚେରି ନିର୍ମାଣ ହୋଇନାହିଁ। ଏହା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ପିଲାଙ୍କ ପାଇଁ ସୁରକ୍ଷିତ ଶ୍ରେଣୀଗୃହ, ପର୍ଯ୍ୟାପ୍ତ ଶିକ୍ଷକ ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବା ଶିକ୍ଷା ବିଭାଗର ପ୍ରାଥମିକ ଦାୟିତ୍ୱ ହୋଇଥିବା ବେଳେ ଏହି ବିଦ୍ୟାଳୟର ଚିତ୍ର ତାହାର ବିପରୀତ କାହାଣୀ କହୁଛି।ବିଦ୍ୟାଳୟ ପରିଚାଳନା କମିଟିର ବିନୋଦ କୁମାର ପାଙ୍ଗି, ଫୁଲମଣି ଗେମେଲଙ୍କ ସମେତ ଗ୍ରାମବାସୀ ରଞ୍ଜିତ କୁମାର ପାଙ୍ଗି, କମୁଳୁ ପାଙ୍ଗି, ହରି ପାଙ୍ଗି ସମସଯାର ସମାଧାନ ପାଇ ଦାବି କରିଛନ୍ତି ।। ସେମାନଙ୍କ କହିବା ଅନୁଯାୟୀ, ବିଦ୍ୟାଳୟର ଦୁରବସ୍ଥା ସମ୍ପର୍କରେ ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ। ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ପାଚେରି ବ୍ୟବସ୍ଥା ଏବଂ ଆବଶ୍ୟକ ଶିକ୍ଷକ ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।କୋଟିଆ ଅଞ୍ଚଳର ବିକାଶ ଓ ଆଦିବାସୀ ପିଲାଙ୍କ ଶିକ୍ଷାକୁ ନେଇ ସରକାରଙ୍କ ପ୍ରତିବଦ୍ଧତା ମଧ୍ୟରେ ବଡ଼ ବାରାବନ୍ଧ ବିଦ୍ୟାଳୟର ଏହି ଅବସ୍ଥା ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଦଶନ୍ଧି ଦଶନ୍ଧି ଧରି ଗୋଟିଏ ଶ୍ରେଣୀଗୃହରେ ଶିକ୍ଷାଦାନ ଚାଲିଥିବା ବେଳେ ଆଉ କେତେଦିନ ଏହି ପିଲାମାନେ ଗଛମୂଳେ ବସି ପାଠ ପଢ଼ିବେ ଏବେ ଏହି ପ୍ରଶ୍ନର ଉତ୍ତର ଅପେକ୍ଷାରେ ଅଛନ୍ତି ଅଭିଭାବକ ଓ ଗ୍ରାମବାସୀ। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଏହି ବିଦ୍ୟାଳୟର ଭିତ୍ତିଭୂମି ସୁଧାରିବା ସହ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ପରିବେଶ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି। ତୁପନ୍ତ ଜିଲା ପ୍ରଶାସନ ହସ୍ତ କ୍ଷପ କରି ୍ତିରିକ୍ତ େଶ୍ରଣିଗୃହ ନିର୍ମାଣ କରିବାକୁ ଦାବି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି