
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ)- ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଏଥିପାଇଁ ଭାରତୀୟ ଜନତା ପାର୍ଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ତଥା ରାଜ୍ୟ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି। ରାଜ୍ୟର ଛାତ୍ରଛାତ୍ରୀ, ଯୁବପିଢ଼ୀ, କୃଷକ, ମତ୍ସ୍ୟଜୀବୀ ଓ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ନିଆଯାଇଥିବା ଏହି ପଦକ୍ଷେପ ଗୁଡ଼ିକ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗୁଣାତ୍ମକ ଶିକ୍ଷାରୁ ଯେପରି କେହି ବଂଚିତ ହେବେନାହିଁ ସେଥିପାଇଁ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ନିଆଯାଇଥିବା ଏହି ଐତିହାସିକ ନିଷ୍ପତିକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଉଛି। “ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବକା ପ୍ରୟାସ” ମନ୍ତ୍ରରେ ଆଗେଇ ଚାଲିଥିବା ରାଜ୍ୟ ସରକାର ଓଡ଼ିଶାର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି। ବିଜେପି ସରକାର ସଦାସର୍ବଦା ଜନସାଧାରଣଙ୍କ ସେବା, ସାମାଜିକ ନ୍ୟାୟ ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି କ୍ୟାବିନେଟ୍ ନିଷ୍ପତି ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଯୁବପିଢ଼ିଙ୍କ ଭବିଷ୍ୟତ ନିର୍ମାଣରେ ଏକ ବଡ଼ମାଇଲ ଖୁଂଟ ସାବ୍ୟସ୍ତ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ୍ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଅଭିନନ୍ଦନ ସଂକଳ୍ପ ପାରିତ ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସହାୟତା ପ୍ରଦାନ କରିବାକୁ ନିଷ୍ପତି ହୋଇଛି। ନିଶୁଳ୍କ ପାଠ୍ୟ ପୁସ୍ତକ ଯୋଗାଣ ଯୋଜନାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ବହି ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ରାଜ୍ୟର ଚାଷୀ ଭାଇ ଭଉଣୀଙ୍କୁ ସମୟ ସୀମା ମଧ୍ୟରେ ସାର ଓ ବିହନ ଯୋଗାଇବା ଏବଂ ଏହାର ସୁପରିଚାଳନା ପାଇଁ ୧୩୬୦ କୋଟି ଟଙ୍କାର କର୍ପସ ପାଣ୍ଠି ମଞ୍ଜୁର କରାଯାଇଛି। ଏହା କୃଷି କ୍ଷେତ୍ରରେ ନୂତନ ବିପ୍ଳବ ଆଣିଦେବ। ରାଜ୍ୟର ୪.୨୦ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ମିଳିଛି। ଏହା ଯୁବପିଢ଼ିଙ୍କ ପାଇଁ ନୂତନ ରୋଜଗାର ଓ ଆତ୍ମନିର୍ଭରଶୀଳତାର ଦ୍ୱାର ଖୋଲିବ। ସହରାଚଂଳରେ ବର୍ଷା ଦିନେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଷ୍ଟର୍ମ ୱାଟର ଡ୍ରେନେଜ୍ ସିଷ୍ଟମର ଆଧୁନିକୀକରଣ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦକୁ ଅନୁମୋଦନ ଦିଆଯାଇଛି।
ଶିକ୍ଷକ ସମାଜ ପାଇଁ ପୂଜାଭେଟି' ଦିଆଯାଇଛି। ମାଧ୍ୟମିକ ଶିକ୍ଷକଙ୍କ ପାଇଁ ନୂତନ ସେବା ନିୟମାବଳୀ ପ୍ରଣୟନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ରାଜ୍ୟ କ୍ୟାର୍ଡର ମାନ୍ୟତା ପ୍ରଦାନ କରାଯାଇଛି। ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ବହୁଦିନର ବରିଷ୍ଠତା ବିବାଦର ଶାଶ୍ୱତ ସମାଧାନ କରାଯାଇ ଶିକ୍ଷକ ସମାଜକୁ ଏକ ଦଶହରା ପୂଜାଭେଟି ଦିଆଯାଇଛି। କଟକ ଠାରେ ମହାନଦୀ ରିଭର ଫ୍ରଂଟ୍ର ନବକଳେବର କରାଯାଇଛି। ଐତିହାସିକ କଟକ ସହରର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନର ବିକାଶ ପାଇଁ ମହାନଦୀ ରିଭର ଫ୍ରଂଟକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ଯୋଜନାକୁ ଅନୁମୋଦନ ଦିଆଯାଇଛି।
୧୭୭ କୋଟି ଟଙ୍କା ବ୍ୟୟରେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ଏକ ଡାଟାସେଂଟର ପ୍ରତିଷ୍ଠା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଭବିଷ୍ୟତରେ ଏହାକୁ ଏକ ଜାତୀୟସ୍ତରର ସାଇବର ସାର୍ବଭୌମତ୍ୱ ଓ ଡିଜିଟାଲରେ ରେଜିଲିଏନ୍ସ ହବ୍ରେ ପରିଣତ କରିବାର ଅବକାଶ ବା ସୁଯୋଗ ରହିବ। ଫଳରେ ସାଇବର ଯୁଦ୍ଧ, ରାନସମୱାୟାର ଆକ୍ରମଣ କୃତ୍ରିମବୁଦ୍ଧିମତାର ଅପପ୍ରୟୋଗ, ଯୋଗାଣ ଶୃଙ୍ଖଳାରେ ଅଯଥା ବିଭ୍ରାଟ, ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତିଭୂମି ଉପରେ ଆକ୍ରମଣ ଓ ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଚୋରିକୁ ରୋକାଯାଇ ପାରିବ। ଏହି ନିଷ୍ପତି ନବସୃଜନ ଓ ନିଯୁକ୍ତିକୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ରାଜ୍ୟର ଡିଜିଟାଲ ଇକୋସିଷ୍ଟମ ଉପରେ ନିବେଶକଙ୍କ ଆସ୍ଥା ଆଣିପାରିବ। ରାଜ୍ୟର ଭୌତିକ ଓ ସାମାଜିକ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଅନୁମୋଦିତ ହୋଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଏବଂ ଜନକଲ୍ୟାଣକାରୀ ପ୍ରସ୍ତାବ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା