
ବୁଲନ୍ଦଶହର, ୧୬ ଅକ୍ଟୋବର (ହି.ସ.)। ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ଶୁକ୍ରବାର ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ଗଛରେ ପିଟି ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଜାରି ରଖିଛି।
ମୁଖ୍ୟ ବିକାଶ ଅଧିକାରୀ ନିଶା ଗ୍ରେୱାଲଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୪୦ କିଲୋମିଟର ଦୂର ଡିବାଇ ତହସିଲ ଅନ୍ତର୍ଗତ ନରୌରା ଥାନା ଅଞ୍ଚଳର ରତନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। କାସଗଞ୍ଜ ଜିଲ୍ଲାର ସିଢ଼ପୁରା ଅଞ୍ଚଳର ଏକ ପରିବାର ଭ୍ୟାନ୍ରେ ବସି ବୁଲନ୍ଦଶହର ଜିଲ୍ଲାର ନରୌରା ନିକଟସ୍ଥ ବେଲୋନ ଗାଁରେ ଥିବା ସର୍ବମଙ୍ଗଳା ମାତା ମନ୍ଦିର (ବେଲୋନ ମାତା) ଦର୍ଶନ ପାଇଁ ଯାଉଥିଲେ।
ରତନପୁର ନିକଟରେ ଦ୍ରୁତଗତିରେ ଯାଉଥିବା କାର୍ଟି ନିୟନ୍ତ୍ରଣ ହରାଇ ଏକ ଗଛରେ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଗାଡ଼ିର ସାମ୍ନା ଭାଗ ପ୍ରାୟ ଦୁଇ ଫୁଟ୍ ପର୍ଯ୍ୟନ୍ତ ଚାପି ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ଗାଡ଼ି ଭିତରେ ଫସି ରହିଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଗାଡ଼ିରୁ ବାହାର କରିଥିଲା। ପରେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଗୁରୁତର ଆହତ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଆଲିଗଡ଼ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ଭ୍ୟାନ୍ରେ ଦୁଇ ଜଣ ମହିଳା, ତିନି ଜଣ ପୁରୁଷଙ୍କ ସମେତ ୧୧ ବର୍ଷର ଜଣେ ଝିଅ, ୫ ବର୍ଷର ଜଣେ ପୁଅ ଏବଂ ଏକ ବର୍ଷର ଜଣେ ଶିଶୁକନ୍ୟା ଥିଲେ। ଦୁର୍ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ତିନି ଜଣଙ୍କ ଚିକିତ୍ସା ଚାଲିଛି। ମୃତକଙ୍କ ପରିଚୟ ଜାଣିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ