
ଝାରସୁଗୁଡ଼ା, ୧୭ ଅକ୍ଟୋବର (ହି.ସ.)- ଲଖନପୁର ତହସିଲ ଅଞ୍ଚଳରେ ଖଣି ପାଇଁ ଜମି ଅଧିଗ୍ରହଣକୁ କେନ୍ଦ୍ର କରି ଜମି କିଣାବିକାରେ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ସହ-ଅଂଶୀଦାରଙ୍କ ସହମତି ବିନା ପୈତୃକ ଜମି ବିକ୍ରି ଏବଂ ଏହାର ପଞ୍ଜୀକରଣକୁ ନେଇ ଜୟବୁଡ଼ିଆ ଗ୍ରାମର ଦୁଇ ଜଣ ଅଂଶୀଦାର ସଂକୀର୍ତ୍ତନ କୁମୁରା ଓ ବାବୁଲାଲ କୁମୁରା ଉତ୍ତରାଞ୍ଚଳ ରାଜସ୍ୱ କମିସନର (ଆର୍ଡିସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗୁରୁତ୍ୱ ଦେଇ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଆର୍ଡିସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଲଖନପୁର ତହସିଲ ଅଧୀନ କୁଡ଼ାଲୋଇ ମୌଜାର ଖାତା ନମ୍ବର ୧୭୩ ଓ ପ୍ଲଟ୍ ନମ୍ବର ୭୩୧ରେ ଥିବା ୧୦ ଡେସିମିଲ ଜମି ସଂକୀର୍ତ୍ତନ ଓ ବାବୁଲାଲଙ୍କ ପିତାଙ୍କ ନାମରେ ଥିବା ପୈତୃକ ସମ୍ପତ୍ତିର ଅଂଶବିଶେଷ। ଏହି ଜମିକୁ ଅନ୍ୟ ଅଂଶୀଦାରମାନେ ସେମାନଙ୍କ ସହମତି ନ ନେଇ ବେଲପାହାଡ଼ର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ସେମାନେ ଅଭିଯୋଗ କରିଛନ୍ତି।
ଅଭିଯୋଗକାରୀଙ୍କ ଦାବି ଅନୁସାରେ, ଉକ୍ତ ଜମିର ପଞ୍ଜୀକୃତ ମୂଲ୍ୟ ୩ ଲକ୍ଷ ଟଙ୍କା ଥିବାବେଳେ ଏହାକୁ ମାତ୍ର ୯୦ ହଜାର ଟଙ୍କାରେ କିଣାବିକା କରାଯାଇଛି। ଏହି କାରବାରରେ ଜମି ମାଫିଆଙ୍କ ଷଡ଼ଯନ୍ତ୍ର ଥିବା ମଧ୍ୟ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଜମି ବିକ୍ରି ହେବାର ମାତ୍ର ପାଞ୍ଚ ଦିନ ପରେ, ଗତ ଜୁଲାଇ ୨୨ ତାରିଖରେ ଖଣି ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଏହି ପ୍ଲଟ୍ ସମ୍ପର୍କରେ ଭୂମି ଅଧିଗ୍ରହଣ ଆଇନର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅଧିଗ୍ରହଣ ପରେ ମିଳିବାକୁ ଥିବା କ୍ଷତିପୂରଣ ରାଶି ହାତେଇବା ଉଦ୍ଦେଶ୍ୟରେ ଏଭଳି କାରବାର କରାଯାଇଥିବା ସଂକୀର୍ତ୍ତନ ଓ ବାବୁଲାଲ ଅଭିଯୋଗ କରିଛନ୍ତି। ଏପରିକି ଜମି କିଣିଥିବା ବ୍ୟକ୍ତିଙ୍କ ନାମ ତୁରନ୍ତ ଏକଜିମାଲି ପଟ୍ଟାରେ ଅନ୍ତର୍ଭୁକ୍ତ ହୋଇଯାଇଥିବାରୁ ଅବଶିଷ୍ଟ ପୈତୃକ ଜମିର ସୁରକ୍ଷାକୁ ନେଇ ସେମାନେ ଆଶଙ୍କାରେ ଅଛନ୍ତି। ଏହି ପ୍ରକ୍ରିୟାରେ ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ଭୂମିକା ଉପରେ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଏହି ଘଟଣାରେ ଜମି ପଞ୍ଜୀକରଣ ବାତିଲ କରିବା ସହ ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି। ଜମି ବିକ୍ରି ଓ ହସ୍ତାନ୍ତର ପ୍ରକ୍ରିୟାରେ ଅନ୍ୟ ସହ-ଅଂଶୀଦାରଙ୍କ ଆଇନଗତ ଅଧିକାର କ୍ଷୁଣ୍ଣ ହୋଇଛି କି ନାହିଁ, ତାହାର ମଧ୍ୟ ତଦନ୍ତ ଦାବି କରାଯାଇଛି। ଅଭିଯୋଗ ପରେ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ରଶ୍ମିରଞ୍ଜନ ରାଉତ ପତ୍ର ସଂଖ୍ୟା ୯୮୨୨ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏହି ମାମଲାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ତଦନ୍ତ ପରେ ଜମି କାରବାରର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ