ଏଚ୍ପିସି ଦରମା ଓ ବୋନସ୍ ଦାବିରେ ଠିକା ଶ୍ରମିକଙ୍କ ଧାରଣା ଚେତାବନୀ, ନଭେମ୍ବର ୧୫ ସୁଦ୍ଧା ଦାବି ପୂରଣ ନହେଲେ ୧୬ରୁ ଆନ୍ଦୋଳନ
Labor -union- demands- hpc- payment- bonus
ଏଚ୍ପିସି ଦରମା ଓ ବୋନସ୍ ଦାବିରେ ଠିକା ଶ୍ରମିକଙ୍କ ଧାରଣା ଚେତାବନୀ, ନଭେମ୍ବର ୧୫ ସୁଦ୍ଧା ଦାବି ପୂରଣ ନହେଲେ ୧୬ରୁ ଆନ୍ଦୋଳନ


ଝାରସୁଗୁଡ଼ା, ୧୭ ଅକ୍ଟୋବର (ହି.ସ.)- ଏମ୍ସିଏଲ୍ ର ଲଖନପୁର କ୍ଷେତ୍ରରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ଏଚ୍ପିସି ଦରମା, ବକେୟା ମଜୁରି, ବୋନସ୍ ଓ ଅନ୍ୟାନ୍ୟ ଆଇନଗତ ସୁବିଧା ପ୍ରଦାନ ଦାବି ଜୋର ଧରିଛି। ଏହାକୁ ନେଇ ଆଜି ଏମ୍ସିଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସଂଘ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଶ୍ରମିକଙ୍କୁ ନିୟମିତ ଓ ନିର୍ଦ୍ଧାରିତ ସମୟରେ ଦରମା ପ୍ରଦାନ, ପ୍ରଯୁଜ୍ୟ ସର୍ବନିମ୍ନ ମଜୁରି ସହ ଏଚ୍ପିସି ଦରମା ଲାଗୁ, ନିଯୁକ୍ତି ସମ୍ପର୍କିତ ଆବଶ୍ୟକ କାଗଜପତ୍ର ଯୋଗାଇବା ଏବଂ ଶ୍ରମ ଆଇନ ଅନୁଯାୟୀ ସମସ୍ତ ସୁବିଧା ପ୍ରଦାନ କରିବାକୁ ଦାବି କରାଯାଇଛି। ଏଥିସହ ଯୋଗ୍ୟ ଶ୍ରମିକଙ୍କୁ ଦୀପାବଳି ପୂର୍ବରୁ ବୋନସ୍ ପ୍ରଦାନ କରିବା ସହ ଦରମା ଓ ନିଯୁକ୍ତି ସମ୍ପର୍କିତ ରେକର୍ଡ ଯାଞ୍ଚ କରି ଅନିୟମିତତା ଥିଲେ ଆବଶ୍ୟକ ପଦକ୍ଷେପ ନେବାକୁ ସଂଘ ଦାବି ଜଣାଇଛି। ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଦାବିଗୁଡ଼ିକର ସମାଧାନ କରା ନ ଗଲେ ନଭେମ୍ବର ୧୬ ତାରିଖରୁ ଲଖନପୁର ଜି.ଏମ୍. କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି। ଠିକା ଶ୍ରମିକଙ୍କ ନ୍ୟାର୍ଯ୍ୟ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଏମ୍ସିଏଲ୍ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରିବାକୁ ସଂଘ ଅନୁରୋଧ କରିଛି।

ସଂଘ ସଭାପତି ରମେଶ ତ୍ରିପାଠୀ କହିଛନ୍ତି ଯେ, ଶ୍ରମିକଙ୍କ ଅଧିକାର କୌଣସି ଦୟା ନୁହେଁ, ବରଂ ସେମାନଙ୍କର ନ୍ୟାୟସଂଗତ ଅଧିକାର ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଝାରସୁଗୁଡ଼ା ଜିଲ୍ଲାରେ ବହୁ କୋଇଲା ଖଣି, ତାପଜ ବିଦ୍ୟୁତ୍ ପ୍ରକଳ୍ପ ଓ ଶିଳ୍ପ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସ୍ଥାନୀୟ ଶ୍ରମିକ ଓ ବିସ୍ଥାପିତ ପରିବାରର ଯୁବକଯୁବତୀ ଆଶାନୁରୂପ ନିଯୁକ୍ତି ସୁଯୋଗ ପାଉନଥିବା ସଂଘ ଅଭିଯୋଗ କରିଛି। ଜିଲ୍ଲାରେ ଶ୍ରମିକ ଶୋଷଣ ବନ୍ଦ, ଉପଯୁକ୍ତ ମଜୁରି ପ୍ରଦାନ ଓ ନିଯୁକ୍ତିରେ ସ୍ଥାନୀୟ ଯୁବକଯୁବତୀଙ୍କୁ ପ୍ରାଥମିକତା ଦେବା ଦାବିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଦିଆଯାଇଥିବା ସଂଘ ସଭାପତି ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande