ଦୁର୍ଗାପୂଜା ପାଇଁ ଝାରସୁଗୁଡ଼ାରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି : ଆଜି ଠାରୁ କନକତୁରା-ପ୍ରସନ୍ନ ପଣ୍ଡା ଛକ ମଧ୍ୟରେ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଭାରିଯାନ ଚଳାଚଳ ନିଷେଧ
Restriction on heavy vechile
ଦୁର୍ଗାପୂଜା ପାଇଁ ଝାରସୁଗୁଡ଼ାରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି : ଆଜି ଠାରୁ କନକତୁରା-ପ୍ରସନ୍ନ ପଣ୍ଡା ଛକ ମଧ୍ୟରେ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଭାରିଯାନ ଚଳାଚଳ ନିଷେଧ


ଝାରସୁଗୁଡ଼ା, ୧୭ ଅକ୍ଟୋବର (ହି.ସ.)- ଚଳିତ ବର୍ଷ ଦୁର୍ଗା ପୂଜା ଶାନ୍ତି କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଦୁର୍ଗାପୂଜା, ଦଶହରା ଏବଂ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ତଥା ରାସ୍ତା ଦୁର୍ଘଟଣା ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ଅଧ୍ୟକ୍ଷ କୁଣାଲ ମୋତିରାମ ଚହ୍ବାଣ ଏନେଇ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏହି ନିର୍ଦ୍ଦେଶ ଅନୁଯାୟୀ, ୪୯ ନମ୍ବର ଜାତୀୟ ରାଜପଥର କନକତୁରା ଠାରୁ ପ୍ରସନ୍ନ ପଣ୍ଡା ଛକ ପର୍ଯ୍ୟନ୍ତ ଭାରୀ ଯାନବାହନ, ବିଶେଷକରି କୋଇଲା ପରିବହନ କରୁଥିବା ଟ୍ରକ୍ ଚଳାଚଳ ଉପରେ ‘ନୋ-ଏଣ୍ଟ୍ରି’ କଟକଣା ବଳବତ୍ତର ରହିବ। ପୂଜା ଉତ୍ସବ ସମୟରେ ରାଜପଥରେ ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ପ୍ରବଳ ଭିଡ଼କୁ ଲକ୍ଷ୍ୟ ରଖି ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଗୌର ହରି ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ଆଜିଠାରୁ ଅର୍ଥାତ୍ ୧୭ ଅକ୍ଟୋବର ୨୦୨୬ରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୬ଟା ଠାରୁ ରାତି ୧୧ଟା ଯାଏଁ ଏହି ମାର୍ଗରେ କୌଣସି ଭାରୀ ଯାନ ପ୍ରବେଶ କରିପାରିବ ନାହିଁ ବୋଲି ଜଣାପଡ଼ିଛି। ମୋଟର ଯାନ ଆଇନର ଧାରା ୧୧୫ ଅନୁଯାୟୀ ଏହି କଟକଣା ଜାରି କରାଯାଇଥିବା ବେଳେ ଏହାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande