
ଭୁବନେଶ୍ଵର, ୧୮ ଅକ୍ଟୋବର (ହି.ସ.)- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା’ଙ୍କ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଛି । ଆଜି ନବରାତ୍ରୀର ଅଷ୍ଟମ ଦିବସରେ ମା’ ଦୁର୍ଗାଙ୍କ ମହାଗୌରୀ ବେଶ ଅନୁଷ୍ଠିତ ହୋଇଛି । ମା’ ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ବିଭିନ୍ନ ଶକ୍ତି ପୀଠ ତଥା ଦେବୀ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି । ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ଦେବୀଙ୍କ ମହାଗୌରୀ ବେଶ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।
ପୁରାଣରେ ବର୍ଣ୍ଣିତ ଅଛି ଯେ, ୧୬ ବର୍ଷ ବୟସ ବେଳକୁ ପ୍ରତିକୂଳ ପରିବେଶରେ କଠିନ ତପସ୍ୟା କରି ଦେବୀଙ୍କ ରଙ୍ଗ ମଳିନ ପଡ଼ିଯାଇଥିଲା । ତପସ୍ୟାରେ ପ୍ରସନ୍ନ ହେବାପରେ ମହାଦେବ ଗଙ୍ଗାଜଳ ଢାଳି ତାଙ୍କୁ ପରିଷ୍କୃତ କରିବାରେ ଅତ୍ୟନ୍ତ ଶୁଭ୍ରକାନ୍ତି ଓ ସୌନ୍ଦର୍ଯ୍ୟମୟୀ ରୂପରେ ଆବିର୍ଭୂତ ହୋଇଥିଲେ ମା’ । ମା'ଙ୍କ ଏହି ରୂପ ସଂସାରର ସବୁଠୁ ଅଧିକ ଗୌରବର୍ଣ୍ଣ ହୋଇଥିବାରୁ ଦେବୀଙ୍କୁ ମହାଗୌରୀ କୁହାଗଲା । ନବରାତ୍ରୀର ଅଷ୍ଟମ ଦିନରେ ମା’ ମହାଗୌରୀଙ୍କ ଆରାଧନା କରାଯାଏ । ଦେବୀ ରାହୁ ଗ୍ରହକୁ ନିୟନ୍ତ୍ରଣ କରନ୍ତି । ଶୈଳପୁତ୍ରୀଙ୍କ ଭଳି ମହାଗୌରୀ ମଧ୍ୟ ବୃଷାରୂଢା । ଦେବୀ ଚତୁର୍ଭୂଜା । ଦକ୍ଷିଣ ଦୁଇ ହସ୍ତରୁ ଗୋଟିକରେ ତ୍ରିଶୂଳ ଓ ଅନ୍ୟଟି ଅଭୟ ମୁଦ୍ରାରେ ଶୋଭାପାଏ । ବାମପଟ ଏକ ହସ୍ତରେ ଡମ୍ବରୁ ଧାରଣ କରିଥାନ୍ତି ଓ ଅନ୍ୟଟି ବରଦ ମୁଦ୍ରାରେ ଥାଏ । ଅତ୍ୟନ୍ତ ଗୌରବର୍ଣ୍ଣ ଲାଗି ଦେବୀଙ୍କୁ ଶଙ୍ଖ, ଚନ୍ଦ୍ର ଓ କୁନ୍ଦପୁଷ୍ପ ସହିତ ତୁଳନା କରାଯାଏ । ଦେବୀ ଶ୍ୱେତବସ୍ତ୍ର ପରିହିତା ତେଣୁ ଦେବୀଙ୍କୁ ଶ୍ୱେତାମ୍ବରଧରା ମଧ୍ୟ କୁହାଯାଏ । ମାତା ମହାଗୌରୀ ଭକ୍ତକୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରଦାନ କରିଥାନ୍ତି ।
ପ୍ରକାଶ ଥାଉକି, ଗତ ୧୧ ତାରିଖରେ ମା’ ଦୁର୍ଗାଙ୍କ ଶୈଳପୁତ୍ରୀ ବେଶ, ୧୨ ତାରିଖରେ ବ୍ରହ୍ମଚାରିଣୀ ବେଶ, ୧୩ ତାରିଖରେ ଚନ୍ଦ୍ରଘଣ୍ଟା ବେଶ, ୧୪ ତାରିଖରେ କୁଷ୍ମାଣ୍ଡା ବେଶ, ୧୫ ତାରିଖରେ ସ୍କନ୍ଧମାତା ବେଶ, ୧୬ ତାରିଖରେ ମା’ ଦୁର୍ଗାଙ୍କ କାତ୍ୟାୟନୀ ବେଶ ଏବଂ ଗତକାଲି ଅର୍ଥାତ୍ ୧୭ ତାରିଖରେ ମା’ ଦୁର୍ଗାଙ୍କ କାଳରାତ୍ରୀ ବେଶ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ