
ବରଗଡ଼, ୧୮ ଅକ୍ଟୋବର (ହି.ସ.)- ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜା ଜାରି ରହିଛି । ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମା’ ସମଲେଶ୍ୱରୀଙ୍କୁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ଆଜି ନବରାତ୍ରୀର ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଏହି ଅବସରରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତମାନେ ଯେପରି ସୁବିଧାରେ ମା’ ଙ୍କ ଦର୍ଶନ କରିପାରିବେ ସେନେଇ ମନ୍ଦିର କମିଟୀ ଓ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ପ୍ରକାଶ ଥାଉକି, ଗତ ୧୧ ତାରିଖରେ ମା’ଙ୍କ ଶୈଳପୁତ୍ରୀ ବେଶ, ୧୨ ତାରିଖରେ ବ୍ରହ୍ମଚାରିଣୀ ବେଶ, ୧୩ ତାରିଖରେ ମା’ ସମଲେଶ୍ୱରୀଙ୍କ ଚନ୍ଦ୍ରଘଣ୍ଟା ବେଶ, ୧୪ ତାରିଖରେ କୁଷ୍ମାଣ୍ଡା ବେଶ, ୧୫ ତାରିଖରେ ସ୍କନ୍ଧମାତା ବେଶ, ୧୬ ତାରିଖରେ କାତ୍ୟାୟନୀ ବେଶ ଏବଂ ୧୭ ତାରିଖରେ ମା’ ସମଲେଶ୍ୱରୀଙ୍କ କାଳରାତ୍ରୀ ବେଶ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ