
ମାଲକାନଗିରି, ୨ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପରିସରରେ ଆଜି ମହାସମାରୋହରେ ଜିଲ୍ଲା ପ୍ରତିଷ୍ଠା ଦିବସ, ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମିଳିତ ଭାବେ ପାଳିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ଜିଲ୍ଲାବାସୀଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ। ନିଜ ବକ୍ତବ୍ୟରେ ସାଂସଦ କହିଥିଲେ, ଗାନ୍ଧୀଜୀଙ୍କ ବିକଶିତ ଭାରତର ସ୍ୱପ୍ନ ଓ ଆଦର୍ଶକୁ ଆଧାର କରି ଆଜି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଜରିଆରେ ମାଲକାନଗିରି ଜିଲ୍ଲା ବିକାଶର ଏକ ନୂତନ ରାସ୍ତାରେ ଆଗେଇ ଚାଲିଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଆମ ଜିଲ୍ଲାର ଗୌରବମୟ ଇତିହାସ, ସଂସ୍କୃତି ଏବଂ ଗାନ୍ଧୀଜୀ-ଶାସ୍ତ୍ରୀଜୀଙ୍କ ଅହିଂସା ଓ ସରଳତାର ଆଦର୍ଶ ଆମ ସମସ୍ତଙ୍କୁ ଏକ ସମୃଦ୍ଧ ଓ ସଶକ୍ତ ମାଲକାନଗିରି ଗଠନ ପାଇଁ ପ୍ରେରଣା ଦିଏ। ଅନ୍ୟାନ୍ୟ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଜିଲ୍ଲାର ପ୍ରଗତି ଏବଂ ପୂଜ୍ୟପୂଜାର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ମହାପୁରୁଷଙ୍କ ନୀତି-ଆଦର୍ଶକୁ ଜୀବନରେ ଆପଣେଇ ସମାଜରେ ଶାନ୍ତି, ସଦ୍ଭାବ ଓ ଏକତା ବଜାୟ ରଖିବା ହିଁ ଜିଲ୍ଲା ପ୍ରତିଷ୍ଠା ଦିବସର ମୂଳ ଲକ୍ଷ୍ୟ।
ଏହି ସମାରୋହରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ସି.ଡି.ଓ-କମ୍-ଇ.ଓ (ଜିଲ୍ଲା ପରିଷଦ) ଦାଶରଥି ସରାବୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଉପସ୍ଥିତ ଥିଲେ। ଏଥିସହିତ ଖ୍ରୀଷ୍ଟିଆନ୍ ଧର୍ମଗୁରୁ ଫାଦର ଲାଲୁ ତୁଷାର ପାଣି, ହିନ୍ଦୁ ପୂଜକ ସନ୍ତୋଷ ପଣ୍ଡା ଏବଂ ବୌଦ୍ଧ ଧର୍ମର ପ୍ରତିନିଧି ଦେଶୀ ରାଜୁ ଆଚାରୀ ଯୋଗଦେଇ ସର୍ବଧର୍ମ ପ୍ରାର୍ଥନା ସହ ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ହରେକୃଷ୍ଣ କୀର୍ତ୍ତନିଆ ଓ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ବହୁ ସଂଖ୍ୟାରେ ଜନପ୍ରତିନିଧି, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସିଭିଲ ସୋସାଇଟିର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ