
ଭୁବନେଶ୍ୱର, 02 ଅକ୍ଟୋବର (ହି.ସ.) -ଏଆଇଟିୟୁସି ୮ମ ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶ୍ରମିକ ନେତା ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି, ଘରୋଇକରଣ ବ୍ୟବସ୍ଥା, ଶ୍ରମ କୋଡ୍ ନାମରେ କିଭଳି ଶ୍ରମିକର ନ୍ୟାଯ୍ୟ ଅଧିକାର ଛଡ଼ାଇ ନେଉଛି ତା’ର ଅବତାରଣା କରିବା ସହ ସଙ୍ଗଠିତ ଶ୍ରମିକ ଆନେ୍ଦାଳନ ଏହାର ମୁକାବିଲା କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବିଭିନ୍ନ ୟୁନିୟନ ଯଥା ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଆଶାକର୍ମୀ ସଂଘ, ରେଲୱେ ପୋଟର୍ସ ୟୁନିୟନ, କଳିଙ୍ଗ ହସ୍ପିଟାଲ କର୍ମଚାରୀ ସଂଘ, ବ୍ୟାଙ୍କ, ନିର୍ମାଣ ଶ୍ରମିକ କର୍ମଚାରୀ ସଂଘ, ବିଦୁ୍ୟତ୍ କର୍ମଚାରୀ ଫେଡ଼େରେସନ ଓ ଅନ୍ୟାନ୍ୟ ୟୁନିୟନ ପକ୍ଷରୁ ସର୍ବସାଥି ନମିତା ସାହୁ, ସଞ୍ଜୀବ ପତି, ସୁକାନ୍ତି ପରିଡ଼ା, ମମତା ରାଉତ, ପ୍ରତୁ୍ୟଷ ପାଲ, ବସନ୍ତ ସେଠୀ, ଅଭୟ ବାରିକ, ମମତା ପଣ୍ଡା, କୌଶଲ୍ୟା ସ୍ୱାଇଁ, ଶମ୍ଭୁନାଥ ମହାପାତ୍ର, ଟୁନି ମାନସିଂ, ପରମାନନ୍ଦ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ରିପୋର୍ଟ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ଶ୍ରମିକ ନେତା ଭ୍ରମର ରାଉତ ପତାକା ଉତ୍ତୋଳନ କରିଥିଲେ । ଆଗାମୀ ୩ ବର୍ଷ ପାଇଁ ସଭାପତି ଭାବେ ସୁର ଜେନା, ସମ୍ପାଦକ ଭାବେ ପରମାନନ୍ଦ ବେହେରା, ଉପସଭାପତି ନମିତା ସାହୁ, ଶମ୍ଭୁପ୍ରସାଦ ମହାପାତ୍ର, ସୁକାନ୍ତି ପରିଡ଼ା, ସହସମ୍ପାଦକ ବସନ୍ତ ସେଠୀ, ପ୍ରଦୋଷ ଦାଶ, ଅଭୟ ବାରିକ, କୋଷାଧ୍ୟକ୍ଷ ମମତା ପଣ୍ଡାଙ୍କ ସମେତ କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ବାଚିତ ହୋଇଥିଲେ । ଏଆଇଟିୟୁସିର ୧୪ଶ ରାଜ୍ୟ ସମ୍ମିଳନୀ ଆସନ୍ତା ଅକ୍ଟୋବର ୩୧, ନଭେମ୍ବର ୧ ଓ ୨ ତିନିଦିନ ଧରି ତାଳଚେରଠାରେ ଅନୁଷ୍ଠିତ ହେବ । ଏଆଇଟିୟୁସି ପ୍ରତିଷ୍ଠା ଦିବସ ଉପଲକ୍ଷେ ତାଳଚେରଠାରେ ବିଶାଳ ସମାବେଶରେ ହଜାର ହଜାର ଶ୍ରମିକ ଯୋଗଦେବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ସଭାରେ ଏଆଇଟିୟୁସି ସର୍ବ ଭାରତୀୟ ସଭାପତି ରମେନ୍ଦ୍ର କୁମାର, ସାଧାରଣ ସମ୍ପାଦିକା ଅମରଜିତ କାଉର ବକ୍ତବ୍ୟ ରଖିବେ । ଏମଏମଡିଆର ସଂଶୋଧନ ଆଇନ-୨୦୨୬ ରଦ୍ଦ କରିବା ଓ ଭୋଟ ଚୋର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସମର୍ଥନ କରିବା ପାଇଁ ଏଆଇଟିୟୁସି ଘୋଷଣା କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା