
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) - ପାରଳାଖେମୁଣ୍ଡି ସହରର ସମସ୍ୟାର ସମାଧାନ ଓ ବିକାଶ ନେଇ ସାଂସଦ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ସାଂସଦ ତାଙ୍କ ଚିଠିରେ ଲେଖିଛନ୍ତି ପାରଳାଖେମୁଣ୍ଡିରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ୨୦୦ ବଖରା ବିଶିଷ୍ଟ ଆଧୁନିକ ମାର୍କେଟ କମ୍ପେ୍ଲକ୍ସର ତୁରନ୍ତ ମଞ୍ଜୁରୀ ଏବଂ ୧୧୧ ଜଣ ଉଠା ଦୋକାନୀଙ୍କୁ ପ୍ରାଥମିକତା ଭିତିରେ ଥଇଥାନ କରାଯାଉ। ୨୦୧୭-୧୮ରୁ ଅଟକି ରହିଥିବା ପାରଳାଖେମୁଣ୍ଡି ରିଙ୍ଗ ରୋଡ୍ (ଅଗ୍ନିଶମ କେନ୍ଦ୍ର ନିକଟରୁ ପ୍ରାୟ ୫ କିମି) ଏବଂ ବାଇପାସ୍ ରୋଡ୍ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ପୂର୍ତ ବିଭାଗ ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ଉଚ୍ଚସ୍ତରୀୟ ସମନ୍ୱୟ ରହୁ , ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା, ଜଳସେଚନ ଓ ପର୍ଯ୍ୟଟନ ପାଇଁ ରାମ ସାଗର, ସୀତା ସାଗର ଓ କୃଷ୍ଣ ସାଗରର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ , ଓଡ଼ିଶା ପ୍ରଦେଶ ଗଠନର କେନ୍ଦ୍ରବିନ୍ଦୁ ଥିବା ଐତିହାସିକ ଗଜପତି ରାଜପ୍ରାସାଦର ସଂରକ୍ଷଣ ଓ ସଦୁପଯୋଗ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ରେଳ ଷ୍ଟେସନ' ନାମରେ ନାମିତ କରିବାକୁ ସୁପାରିଶ ଏବଂ ପୌରପାଳିକାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ମ୍ୟୁନିସିପାଲିଟି ଇଞ୍ଜିନିୟର ଏବଂ ଜୁନିୟର ଇଞ୍ଜିନିୟର ନିଯୁକ୍ତି କରିବାକୁ ଶ୍ରୀ ପାଣିଗ୍ରାହୀ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା