
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୨୦୧୯ରେ ଜଳ ଜୀବନ ମିଶନ ଆରମ୍ଭ କରିଥିଲେ। ୨୦୨୪ ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ନଳ ଯୋଗେ ପର୍ଯ୍ୟାପ୍ତ ଓ ନିରାପଦ ପାନୀୟଜଳ ପହଁଚାଇବା ଏହାର ଲକ୍ଷ୍ୟ ଥିଲା। କିନ୍ତୁ ଅଗଷ୍ଟ ୨୦୧୯ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ଏହାର କାର୍ଯ୍ୟାନ୍ୱୟନ ସମ୍ପର୍କିତ ମହାଲେଖା ନିୟନ୍ତ୍ରକ (ସିଏଜି) ରିପୋର୍ଟ ପୂର୍ବ ସରକାରଙ୍କ ଯୋଜନା, ତଦାରଖ ଓ କାର୍ଯ୍ୟ ସମ୍ପାଦନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଓଡ଼ିଶାବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ଅକ୍ଷମ ଥିଲା ବିଜେଡି ସରକାର ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଥିବାର ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟର ୮୮.୬୮ ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ମାର୍ଚ୍ଚ ୨୦୨୪ ସୁଦ୍ଧା ୬୪.୭୧ ଲକ୍ଷ ପରିବାରକୁ ନଳ ଯୋଗେ ପାନୀୟ ଜଳ ମିଳିଥିବା ଦାବି କରାଗଲା। ଓଡ଼ିଶାରୁ ପ୍ରାୟ ୩୧ ପ୍ରତିଶତ ପରିବାର ଏହି ଯୋଜନାରୁ ବାଦ୍ ପଡିଥିଲେ। ଭାରତ ପାଇଁ ଏହି ପରିମାଣ ହେଉଛି ୨୪ ପ୍ରତିଶତ। ୨୦୧୯-୨୪ରେ ନିଆଯାଇଥିବା ୨୦୭ ମେଗା ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ଜୁନ୍ ୨୦୨୪ ସୁଦ୍ଧା ମାତ୍ର ୨ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା। ଏହି ସଂଖ୍ୟାଗୁଡ଼ିକ କେବଳ ପ୍ରକଳ୍ପର ବିଳମ୍ବ ନୁହେଁ ବରଂ ସେତେବେଳର ପ୍ରକଳ୍ପ ପରିଚାଳନା ଓ ତଦାରଖ ବ୍ୟବସ୍ଥାର ଉତରଦାୟିତ୍ୱ ନିର୍ଣ୍ଣୟର ଆବଶ୍ୟକତାକୁ ସାମନାକୁ ଆଣିଛି।
ସିଏଜିଙ୍କ ଅନୁଧ୍ୟାନରେ ୫ଟି ଜିଲ୍ଲାର ୮,୮୦୦ ଗାଁ ମଧ୍ୟରୁ ୧,୨୩୭ଟିରେ ଗ୍ରାମ୍ୟ କାର୍ଯ୍ୟକ୍ରମ ଯୋଜନା ଏବଂ ୧,୨୩୦ଟିରେ ଗ୍ରାମ୍ୟ ଜଳ ଏବଂ ପରିମଳ କମିଟି ନ ଥିଲା। ଜିଲ୍ଲା ଜଳ ଏବଂ ପରିମଳ ମିଶନର ୨୫୫ଟି ଆବଶ୍ୟକ ବୈଠକ ବଦଳରେ ମାତ୍ର ୩୩ଟି, ଅର୍ଥାତ୍ ପ୍ରାୟ ୧୩ ପ୍ରତିଶତ ବୈଠକ ହୋଇଥିଲା। “ଗାଁର ଜଳ ଯୋଜନା ନାହିଁ, ଗାଁର ଜଳ କମିଟି ନାହିଁ” ଜିଲ୍ଲାସ୍ତରୀୟ ତଦାରଖ ବୈଠକ ମଧ୍ୟ ନିୟମିତ ହୋଇ ନଥିବାବେଳେ ଯୋଜନାକୁ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ କରାଯାଉଥିଲା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ପାନୀୟଜଳର ଗୁଣବତା ସମ୍ପର୍କିତ ସିଏଜିଙ୍କ ତଥ୍ୟ ମଧ୍ୟ ଚିନ୍ତାଜନକ। ପରୀକ୍ଷାଗାରରେ ୭୭ଟି ଜଳର ଗୁଣାତ୍ମକମାନ ମଧ୍ୟରୁ ୨୬ଟି “ନ୍ୟାଶନାଲ ଆକ୍ରିଡିଏସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରଟୋରୀ”ର ସ୍ୱୀକୃତି, ୧୭ଟି ଚିହ୍ନଟ ଏବଂ ୩୪ଟିର ଉଭୟ ସ୍ୱୀକୃତି ବା ଚିହ୍ନଟ ନ ଥିଲା। ସିଏଜି ମାନବ ସମ୍ବଳ ଅଭାବ, ସ୍ୱଳ୍ପ ତାଲିମ ଓ ଅଚଳ ଯନ୍ତ୍ରପାତିର କଥା ମଧ୍ୟ ଉଲ୍ଲେଖ କରିଛି। ଜଳର ଗୁଣାତ୍ମକମାନ ପରିଚାଳନା ଏବଂ ନିରୀକ୍ଷଣରେ ବ୍ୟୟ ଥିଲା ମାତ୍ର ୦.୩୮ ପ୍ରତିଶତ, ଯାହାକି ୨ ପ୍ରତିଶତ ହେବା କଥା। ଏହି ପ୍ରସଙ୍ଗରେ ଅର୍ଥନୀତି ପାଇଁ ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଗବେଷଣା ବିଶେଷ ପ୍ରାସଙ୍ଗିକ ବହନ କରେ। କ୍ରେମର ଓ ସହ-ଗବେଷକଙ୍କ ଅନୁସାରେ ପାନୀୟଜଳ ବିଶୁଦ୍ଧିକରଣ ଦ୍ୱାରା ପାଂଚବର୍ଷରୁ କମ୍ ଶିଶୁମୃତ୍ୟୁ ହାର ପ୍ରାୟ ଏକ ଚତୁର୍ଥାଂଶ କମିପାରେ। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିିଶାରେ ପାଂଚ ବର୍ଷରୁ କମ୍ ବୟସ ଶିଶୁ ମୃତ୍ୟୁହାର ହଜାରରେ ୩୭ ଏବଂ ଏହା ଭାରତର ଚତୁର୍ଥ ସର୍ବାଧିକ। ଜଳ ଜୀବନ ମିଶନ ଯଦି ଶୁଦ୍ଧ ଜଳଯୋଗାଣର ଲକ୍ଷ୍ୟ ସଫଳତାର ସହ ହାସଲ କରେ, ବର୍ଷକୁ ପ୍ରାୟ ୧.୩୬ ଲକ୍ଷ ପାଂଚବର୍ଷ ବୟସରୁ କମ୍ ଶିଶୁଙ୍କ ମୃତ୍ୟୁ ଏଡ଼ାଇ ଦିଆଯାଇପାରିବ ବୋଲି ସେମାନେ ଆକଳନ କରିଥିଲେ। “ସିଏଜି”ର ତଥ୍ୟ ପୂର୍ବ ସରକାରଙ୍କ ୨୦୧୯-୨୪ କାର୍ଯ୍ୟାନ୍ୱୟନ ସମୟ ସମ୍ପର୍କରେ ଯେଉଁ ପ୍ରଶ୍ନ ଉଠାଇଛି, ସେଗୁଡ଼ିକର ତଥ୍ୟଭିତିକ ଉତର ଜନସାଧାରଣଙ୍କ ସାମ୍ନାକୁ ଆସିବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଅନ୍ୟତମ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା