ଫୁଲବାଣୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ:ସର୍ବଧର୍ମ ପ୍ରାର୍ଥନାରେ ଗୀତା, କୋରାନ ଓ ବାଇବେଲ ପାଠ
District Level Gandhi Jayanti in Phulbani
ଫୁଲବାଣୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ:ସର୍ବଧର୍ମ ପ୍ରାର୍ଥନାରେ ଗୀତା, କୋରାନ ଓ ବାଇବେଲ ପାଠ


କନ୍ଧମାଳ , ୦୨ ଅକ୍ଟୋବର (ହି.ସ.) ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଫୁଲବାଣୀରେ ଜିଲ୍ଲାସ୍ତରୀୟ ସମାରୋହ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସର୍ବଧର୍ମ ସମନ୍ୱୟର ବାର୍ତା ପ୍ରତିଧ୍ୱନିତ ହୋଇଥିଲା। ଦିବସର ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଫୁଲବାଣୀ ସହରରେ ରାମଧୂନ୍ ପରିବେଷଣ କରାଯାଇଥିଲା। ପରେ ଗାନ୍ଧୀ ଛକ ଓ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ପରିସରରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଜିଲ୍ଲାପାଳ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ, ଫୁଲବାଣୀ ପୌରପରିଷଦର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ଫୁଲବାଣୀ ବିଡିଓ ସୌମ୍ୟରଞ୍ଜନ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଡିଆଇପିଆରଓ ନଳିନୀକାନ୍ତ ସାହୁ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଏଲ ନାଇକା ପ୍ରମୁଖ ଉପସ୍ଥିତ ରହି ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମାରୋହର ଅନ୍ୟତମ ଆକର୍ଷଣ ଥିଲା ସର୍ବଧର୍ମ ପ୍ରାର୍ଥନା। ମୋହନଦାସ କରମଚାନ୍ଦ କଳା ନିକେତନ ପକ୍ଷରୁ ‘ବୈଷ୍ଣବ ଜନ ତୋ’ ଓ ‘ରଘୁପତି ରାଘବ ରାଜାରାମ’ ଭଜନ ପରିବେଷଣ କରାଯାଇଥିଲା। ଏହାପରେ ଅନୁଷ୍ଠିତ ସର୍ବଧର୍ମ ପ୍ରାର୍ଥନାରେ ତିନୋଟି ଧର୍ମର ପବିତ୍ର ଧର୍ମଗ୍ରନ୍ଥ ପାଠ କରାଯାଇଥିଲା। ଅନନ୍ତ ଚରଣ ମିଶ୍ର ଭଗବଦ୍ଗୀତା, ମହମ୍ମଦ ମୁଜାହିଦ୍ କୋରାନ ଏବଂ ପ୍ରଣବ ମଣ୍ଡଳ ବାଇବେଲ ପାଠ କରିଥିଲେ। ଏମ୍େକଏସ୍ପିର ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ପ୍ରାର୍ଥନା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଡେପୁଟି କଲେକ୍ଟର ପ୍ରଭାକର ଦୀପା ମଧ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଏମ୍େକଏସ୍ପି ପରିସରରେ ‘ଗାନ୍ଧୀ ବିଚାର ଓ ଦର୍ଶନ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଓ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାଧ୍ୟାପକ ଶୁଭ୍ରଜିତ୍ ରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ, ଅହିଂସା, ସତ୍ୟ, ତ୍ୟାଗ ଓ ଦେଶପ୍ରେମ ଉପରେ ଆଲୋକପାତ କରିଥିଲେ। ଆଲୋଚନାଚକ୍ର ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରେ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମାରୋହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁ, ଏମ୍େକଏସ୍ପିର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁଙ୍କ ସମେତ ପରିଷଦର ସଭ୍ୟସଭ୍ୟା, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଦିନବ୍ୟାପୀ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ସତ୍ୟ, ଅହିଂସା, ତ୍ୟାଗ, ସରଳତା ଓ ଦେଶସେବାର ଆଦର୍ଶକୁ ସ୍ମରଣ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande