
କେନ୍ଦ୍ରାପଡ଼ା, 02 ଅକ୍ଟୋବର (ହି.ସ.)-: ଗାନ୍ଧୀ ଥିଲେ ଆଧୁନିକ ବିଶ୍ଵ ଇତିହାସର ସର୍ବଶ୍ରେଷ୍ଠ ମଣିଷ। ତାଙ୍କୁ ପଢି ବୁଝିଲେ ଜୀବନକୁ ଜୀଇଁବାର ରାସ୍ତା ସହଜ ହୋଇଯାଏ। ବ୍ୟକ୍ତି ଠୁଁ ସମୂହ ତଥା ବିଶ୍ଵ ସମସ୍ୟା ସମାଧାନର ସମସ୍ତ ସୂତ୍ର ଗାନ୍ଧୀ ବିଚାରରେ ରହିଥିବାରୁ ଗାନ୍ଧିଜୀଙ୍କୁ ଅଧିକରୁ ଅଧିକ ପଢିବାର ଆବଶ୍ୟକତା ରହିଛି ବୋଲି ୧୫୭ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ସମାରୋହ ଓ ପୁରସ୍କାର ବିତରଣ ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାର ୯ ଗୋଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲଟି ଅଞ୍ଚଳର ୫୫ଟି ଉଚ୍ଚ ବିଦ୍ୟାଳୟରେ ସଂଗଠନ ପକ୍ଷରୁ ପୂର୍ବରୁ ହୋଇଥିବା ଗାନ୍ଧୀ କ୍ଵିଜ୍ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିବା ନିମନ୍ତେ କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀ ଭବନ ସଭାଗୃହରେ ଏଥି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଚିତ୍ତରଞ୍ଜନ ଦାସ ମୁଖ୍ୟ ବକ୍ତା ଏବଂ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ମଦନ ମୋହନ କର, ପ୍ରାଧ୍ୟାପକ ମୋହନ ଚରଣ ଜେନା, ଡ଼ ଶରତ ଚନ୍ଦ୍ର ସ୍ବାଇଁ ଓ ଅଧ୍ୟାପକ ଅଜୟ ସାମଲ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ସଂଗଠନର ଜିଲ୍ଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ବରେ ହୋଇଥିବା ଏହି ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରବୀନ୍ଦ୍ର ପ୍ରସାଦ ଜେନା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଏବଂ ଅବଧୂତ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ। ମହେନ୍ଦ୍ର କୁମାର ପଟ୍ଟନାୟକ, ନିରୁପମା ଦାସ ଓ ସରୋଜକାନ୍ତ ନାୟକ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜିତ କୁମାର ସାହୁ, ନରୋତ୍ତମ ପାର୍ଥସାରଥୀ, ମୁକ୍ତାର ଖାଁ, ନୃସିଂହ ଚରଣ ତ୍ରିପାଠୀ, ଶରତ କୁମାର ରାଉତ, ମନୋରଞ୍ଜନ ତ୍ରିପାଠୀ, ରାଜେନ୍ଦ୍ର ମହାପାତ୍ର, ଦେବାଶିଷ ପ୍ରଧାନ, ଅଭୟ କୁମାର ସ୍ବାଇଁ, ପଦ୍ମନାଭ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷକ ଓ ଛାତ୍ର ଅବିଭାବକମାନେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି