
ମାଲକାନଗିରି, ୨ ଅକ୍ଟୋବର (ହି.ସ.)- ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା, ସମ୍ମାନ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦେଶର ସ୍ୱାଧୀନତା ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଅବିସ୍ମରଣୀୟ ଅବଦାନ ଏବଂ ଦେଶ ଗଠନରେ ଲାଲବାହାଦୁର ଶାସ୍ତ୍ରୀଙ୍କ ତ୍ୟାଗ, ସେବା ଓ ନେତୃତ୍ୱକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉପସ୍ଥିତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଦେଶର ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଅମର ଆଦର୍ଶକୁ ସ୍ମରଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ କୁମାର ପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଡ. ହିମାଂଶୁ ଶେଖର ସାହୁ, ଡ. ଦେବାଶିଷ ପାହି, ପ୍ରିତମ କୁମାର ମହଲା ଏବଂ ରଂଜିତ କୁମାର ମାଡକାମୀ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟକ୍ଷ ଡ. ଆଲୋକ କୁମାର ପାତ୍ର ନିଜ ଅଭିଭାଷଣରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ଶାନ୍ତି ଓ ମାନବିକତାର ଆଦର୍ଶ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ସରଳତା, ସଚ୍ଚୋଟତା, ଦେଶପ୍ରେମ ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ଆଲୋକପାତ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ମହାତ୍ମା ଗାନ୍ଧୀ କେବଳ ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ମହାନ ନେତା ନୁହନ୍ତି, ବରଂ ସତ୍ୟ ଓ ଅହିଂସାର ମାର୍ଗ ଦ୍ୱାରା ସମଗ୍ର ବିଶ୍ୱକୁ ଏକ ନୂତନ ଦିଗ ଦେଖାଇଥିବା ଜଣେ ମହାନ ଚିନ୍ତକ। ତାଙ୍କର ସରଳ ଜୀବନ, ଉଚ୍ଚ ଚିନ୍ତା, ସ୍ୱଚ୍ଛତା, ସ୍ୱାବଲମ୍ବନ ଓ ସମାଜର ଶେଷ ଧାଡ଼ିରେ ଥିବା ମଣିଷଙ୍କ ପ୍ରତି ସମ୍ବେଦନଶୀଳତା ଆଜି ମଧ୍ୟ ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ।
ସେହିପରି ଲାଲବାହାଦୁର ଶାସ୍ତ୍ରୀ ତାଙ୍କର ସରଳ ଜୀବନଶୈଳୀ, ନିଷ୍ଠା, ଶୃଙ୍ଖଳା ଓ ଦେଶପ୍ରେମ ପାଇଁ ସ୍ମରଣୀୟ। ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ତାଙ୍କର ଅବଦାନ ଅନନ୍ୟ। ତାଙ୍କ ଜୀବନାଦର୍ଶ ଯୁବପିଢ଼ିକୁ ସତ୍ୟନିଷ୍ଠା, ପରିଶ୍ରମ ଓ ଦେଶସେବାର ପଥରେ ଆଗେଇ ଯିବାକୁ ପ୍ରେରଣା ଦେଇଥାଏ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ, ଆଦର୍ଶ ଓ ଦେଶ ପ୍ରତି ସେମାନଙ୍କ ଅବଦାନ ଉପରେ ନିଜସ୍ୱ ମତ ରଖିଥିଲେ। ମହାନ ବ୍ୟକ୍ତିତ୍ୱଦ୍ୱୟଙ୍କ ଜୀବନରୁ ପ୍ରେରଣା ନେଇ ସତ୍ୟ, ଅହିଂସା, ଶୃଙ୍ଖଳା, ଦାୟିତ୍ୱବୋଧ ଓ ଦେଶପ୍ରେମକୁ ଜୀବନର ଅଂଶ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା।
ଏହି ଜୟନ୍ତୀ ପାଳନ ଅବସରରେ ମହାବିଦ୍ୟାଳୟରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ, ମୂଲ୍ୟବୋଧ ଓ ଦେଶ ଗଠନରେ ସେମାନଙ୍କ ଅବଦାନକୁ ନେଇ ସାରଗର୍ଭକ ଆଲୋଚନା ହୋଇଥିଲା। ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଉପସ୍ଥିତି ଓ ସହଯୋଗରେ କାର୍ଯ୍ୟକ୍ରମଟି ଅର୍ଥପୂର୍ଣ୍ଣ ଓ ସଫଳ ହୋଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହିତ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ