
ଜୟପୁର, ୨ ଅକ୍ଟୋବର (ହି.ସ.)- ଜୟପୁରରେ ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଛି। ଏହି ଅବସରରେ ଜୟପୁର ଗାନ୍ଧୀ ଛକ ଏବଂ ଜୟପୁର ମ୍ୟୁନିସିପାଲିଟି ଗାନ୍ଧୀ ପାର୍କଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏବଂ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ଆଦର୍ଶକୁ ସ୍ମରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀମତୀ ଯଶୋଦା ଗାଦବା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, କୋରାପୁଟ ଏବଂ ଶ୍ରୀମତୀ ସୁବାସିନୀ କରସୁଧା ପଟ୍ଟନାୟକ, କ୍ଲର୍କ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସାଧାରଣ ଲୋକମାନେ ଉପସ୍ଥିତ ଥିଲେ। ସେହିପରି ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭଵନ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି l ବରିଷ୍ଠ କଂଗ୍ରେସ ନେତା ବିନୋଦ ମହାପାତ୍ର, ମଦନ ମୋହନ ନାୟକ, ହାସନ ମଦାନୀ, ରାମ ନାୟକ ଉପସ୍ଥିତ ରହି ଗାନ୍ଧୀଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟର୍ପଣ କରିଥିଲେ lସେହିପରି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଇଥିଲା ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ହୃଷିକେଶ ସେନାପତି, ପିଜି କାଉନସିଲ୍ର ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର ଏବଂ କୁଳସଚିବ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନ, ଆଦର୍ଶ, ତ୍ୟାଗ, ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ଦେଶସେବାର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ। ଦିବସ ପାଳନର ଅଂଶ ଭାବେ ବିଶ୍ୱବିଦ୍ୟାଳୟ ପରିସରରୁ ରାଜନଗର ଛକ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ରାଲିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ରାଜନଗର ଛକରେ ପହଞ୍ଚିବା ପରେ ରାଲିଟି ପୁନର୍ବାର ବିଶ୍ୱବିଦ୍ୟାଳୟକୁ ଫେରିଥିଲା।ଏହାପରେ ବିଶ୍ୱବିଦ୍ୟାଳୟରେ ଏକ ସଭା ଏବଂ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ମାନବିକତାର ଆଦର୍ଶକୁ ଜୀବନରେ ଅନୁସରଣ କରିବା ସହ ଦେଶର ଏକତା, ଶାନ୍ତି ଓ ସ୍ୱଚ୍ଛତା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ନିମନ୍ତେ ଉପସ୍ଥିତ ସମସ୍ତେ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ଛାତ୍ରଛାତ୍ରୀମାନଙ୍କ ମନରେ ଦେଶପ୍ରେମ, ଶୃଙ୍ଖଳା ଓ ଗାନ୍ଧୀବାଦୀ ମୂଲ୍ୟବୋଧକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଥିଲା।ଏହି ସମଗ୍ର କାର୍ଯ୍ୟକ୍ରମକୁ ଡ. ଅରୁଣ କୁମାର ରାଜ ସମନ୍ୱୟ କରିଥିଲେ। ଡ. ରୁଶଭ କୁମାର ସାହୁ, ଶ୍ରୀମତୀ ପଲ୍ଲବୀ ନାୟକ, ୱାଆରସି କାଉନସେଲର, ଶ୍ରୀମତୀ ସୁକାନ୍ତି ସୋୟ, ଶ୍ରୀ ସଚିନ ନାୟକ, ଏନଏସଏସ ଅଫିସର ଏବଂ ଶ୍ରୀମତୀ ସନ୍ତୋଷିନୀ ମୁଣ୍ଡା, ଏନସିସି ଅଫିସର ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ କ୍ୟାପ୍ଟେନ୍ ଡ. ଲକ୍ଷ୍ମଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସହପ୍ରଧାନ ଆଚାର୍ଯ୍ୟ ଦିଲ୍ଲୀପ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କିଶୋର ଚନ୍ଦ୍ର ପଣ୍ଡା । ସେହିପରି କାର୍ଯ୍ୟକ୍ରମରେ ଦୁଇ ଜଣ ଗୁରୁଜୀ ଗୁରୁମା ଶ୍ରୀମତୀ ସରୋଜିନୀ ପାଣିଗ୍ରାହୀ ଓ ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭ ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ୱଳନରୁ ଆରମ୍ଭ ହୋଇଥିଲା । ଏହାପରେ ବିଦ୍ୟାଳୟର ଶିଶୁ ଭଉଣୀମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟର ଦୁଇ ଜଣ ଭାଇ ଓ ଦୁଇ ଜଣ ଭଉଣୀଙ୍କ ଦ୍ବାରା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରାଯାଇଥିଲା । ଏହାପରେ ଗୌରୀ ଶଙ୍କର ପଟ୍ଟନାୟକ ଶାସ୍ତ୍ରୀଙ୍କ ଜୀବନର କିଛି ଅଜଣା ଓ ରୁଚିପୂର୍ଣ୍ଣ କାହାଣୀ ମାଧ୍ୟମରେ ଶିଶୁଙ୍କୁ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରେରଣା ଯୋଗାଇଥିଲେ । ସେହିପରି ଶ୍ରୀମତୀ ସରୋଜିନୀ ଗୁରୁମା ଗାନ୍ଧୀଙ୍କ ଜୀବନର ମହତ୍ତ୍ୱ ବିଷୟରେ ଶିଶୁଙ୍କୁ ଉଦବୋଧନ ଦେବା ସହିତ କିପରି ତାଙ୍କର ଆଦର୍ଶ ଏବେ ବି ବଞ୍ଚିରହିଛି ଏବଂ ଦେଶର ସ୍ୱାଧୀନତା ପାଇଁ ତାଙ୍କର ଭୂମିକା ବିଷୟରେ ଶିଶୁଙ୍କୁ ନିଜ ବକ୍ତବ୍ୟରେ କହିଥିଲେ । ଶ୍ରୀ ପଣ୍ଡା ଶାସ୍ତ୍ରୀଜୀଙ୍କ ଜୀବନର କେତୋଟି ସୁନ୍ଦର କଥା ଗଳ୍ପ ମାଧ୍ୟମରେ ଶିଶୁଙ୍କୁ କହିବା ସହ ଶିଶୁଙ୍କୁ ନିଜ ଜୀବନରେ ସତ୍ୟ, ସଚ୍ଚୋଟତା ଏବଂ ଶୃଙ୍ଖଳାକୁ ଗୁରୁତ୍ୱ ଦେବା ବିଷୟରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶିଶୁ ବିଦ୍ୟାମନ୍ଦିରର ଗୁରୁମା ଶ୍ରୀମତୀ ତପସ୍ୱିନୀ ସାହୁ, ଏବଂ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ମହାପାତ୍ର । କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବାବ୍ରତୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି