
ପୁରୀ, ୨ ଅକ୍ଟୋବର (ହି.ସ.)- ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ, ଆଦର୍ଶ ଚିର ଅମର। ସେମାନଙ୍କ ବିଚାର ଧାରା ସମଗ୍ର ପୃଥିବୀକୁ ସବୁ ସମୟରେ ମାର୍ଗଦର୍ଶନ ଦେଇ ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧିଜୀଙ୍କ ୧୫୭ ତମ ଓ ଶାସ୍ତ୍ରୀଜୀଙ୍କ ୧୨୨ ତମ ଜୟନ୍ତୀ ପାଳିତ ହୋଇଥିଲା। ଅତିଥି ମାନେ ଦୁଇ ମହାପୁରୁଷଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଦିନରେ ଜନ୍ମ ହୋଇଥିବା ଦୁଇ ମହାପୁରୁଷଙ୍କ ଜୀବନୀ ଆମକୁ ସତ୍ୟ, ନ୍ୟାୟ ଓ ଅହିଂସା ପଥରେ ଯିବାର ପ୍ରେରଣା ଦେଉଛି। ବର୍ଣ୍ଣ ବୈଷମ୍ୟତା ଦୂର ସହ ବିଭିନ୍ନ ପ୍ରକାର ଆନ୍ଦୋଳନ ମାଧ୍ୟମରେ ଏକ ଦୃଢ ଓ ପ୍ରଗତିଶୀଳ ସମାଜ ଗଠନରେ ସେମାନଙ୍କ ଅବଦାନ ଅବିସ୍ମରଣୀୟ।ପ୍ରତ୍ଯକଙ୍କ ମଧ୍ୟରେ ପ୍ରତିଭା ରହିଛି। ଏହାର ବିକାଶ ତାଙ୍କୁ ଶ୍ରେଷ୍ଠ କରିଥାଏ। ଗାନ୍ଧୀଙ୍କ ସ୍ବଦେଶୀ ଅଭିଯାନ ଏବେବି ସମସ୍ତଙ୍କୁ ପ୍ରଭାବିତ କରିଛି। ସମଗ୍ର ବିଶ୍ବ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରକୁ ଗ୍ରହଣ କରିପାରିଲେ ଏହା ବିଶ୍ବ ଶାନ୍ତିରେ ସହାୟକ ହୋଇ ପାରିବ ବୋଲି ସେ କହିଥିଲେ। ଏଥିରେ ଯୋଗଦେଇ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଓ ସର୍ବୋୟ ମେଳା ସମିତିର ସଭାପତି ଉମା ବଲ୍ଲଭ ମହାପାତ୍ର ଉଭୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନକୁ ଅନୁଧ୍ୟାନ କଲେ ସରଳ ଜୀବନ ହିଁ ସଫଳ ଜୀବନ ବୋଲି ସମସ୍ତେ ଜାଣି ପାରନ୍ତି। ସତ୍ୟ, ଅହିଂସା, ପ୍ରତିବଦ୍ଧତା ଓ ସ୍ବାଭିମାନର ପ୍ରତୀକ ଏହି ମହାମାନବ ଆମ ରାଷ୍ଟ୍ର ର ଗର୍ବ ଓ ଗୌରବ। ବିଶ୍ବ ଥିବା ଯାଏଁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ ଓ ବିଚାରଧାରା ସମଗ୍ର ମାନବ ଜାତିକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି ସେମାନେ କହିଥିଲେ। ସମାଜସେବୀ ତଥା ଗାନ୍ଧୀବାଦି ଗୌରାଙ୍ଗ ଚରଣ ପରିଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିବା ସହ ଆମ ପ୍ରତ୍ୟେକଙ୍କ ମଧ୍ୟରେ ଉଭୟ ମହାପୁରୁଷଙ୍କ ବିଚାରଧାରା ରହିଛି। ଏହାକୁ ଜାଗ୍ରତ କରି ବିଶ୍ବକୁ ମଙ୍ଗଳମୟ କରିବାକୁ ଆହ୍ଵାନ ଦେଇଥିଲେ।
ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରି ଦୁଇ ମହାପୁରୁଷ ଆମ ସମସ୍ତ ଙ୍କ ପ୍ରେରଣାର ଉତ୍ସ ବୋଲି କହିଥିଲେ। ପରେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ସର୍ବୋଦୟ ମେଳା ସମିତି ର ସମ୍ପାଦକ ଶିବ ପ୍ରସାଦ ମିଶ୍ର ସର୍ବଧର୍ମ ପ୍ରାର୍ଥନା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ,ଶିକ୍ଷକ, ଶିକ୍ଷୟିତ୍ରୀ,ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ପ୍ରତ୍ୟୁଷ ୪ଟା୩୦ ରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯାଇଥିଲା।ସକାଳ ୭ଟା ୩୦ ରେ ଗାନ୍ଧୀଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ବିଜୟ