
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) - ଆର୍ôଥକ ବିକାଶ ଓ ପରିବେଶ ସୁରକ୍ଷା ପରସ୍ପର ପରିପୂରକ ହେବା ଆବଶ୍ୟକ। ଏଥିପାଇଁ ସ୍ୱଚ୍ଛ, ସ୍ମାର୍ଟ ଓ ଜଳବାୟୁ-ସହନଶୀଳ ବିକାଶ ମଡେଲ ଆପଣାଇବାକୁ ପଡ଼ିବ ବୋଲି ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି।
ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ତୃତୀୟ ‘ଆର୍ଥ ଏଗେନ୍ କନକ୍ଲେଭ୍-୨୦୨୬’ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ ଜଳବାୟୁ ପରିବର୍ତନ ଆଉ ଦୂର ଭବିଷ୍ୟତର ଚେତାବନୀ ହୋଇ ରହିନାହିଁ। ଅନିୟମିତ ବର୍ଷା, ବଢ଼ୁଥିବା ତାପମାତ୍ରା ଓ ଅନିୟମିତ ପାଣିପାଗ ଘଟଣା ଏବେ କୃଷି, ଜଳସମ୍ପଦ, ସ୍ୱାସ୍ଥ୍ୟ ଓ ଜୀବିକାକୁ ପ୍ରଭାବିତ କରୁଛି।
‘ଜେନ୍ ସି-ଜେନେରେସନ୍ କ୍ଲାଇମେଟ୍’ ବିଷୟବସ୍ତୁ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମର ଦୂତ ହେବା ସହ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବାକୁ ସେ ଆହ୍ୱାନ ଦେଇଥିଲେ।
ରାଜ୍ୟପାଳ କହିଥିଲେ ଯେ ଜଳବାୟୁ ପରିବର୍ତନ ରୋକିବା କେବଳ କୌଣସି ଗୋଟିଏ ଅନୁଷ୍ଠାନ କିମ୍ବା ସମାଜର ଗୋଟିଏ ବର୍ଗର ଦାୟିତ୍ୱ ନୁହେଁ। ଏହା ସମସ୍ତଙ୍କର ମିଳିତ ଦାୟିତ୍ୱ। ସରକାର, ଶିକ୍ଷାନୁଷ୍ଠାନ, ଶିଳ୍ପ, ଗଣମାଧ୍ୟମ ଓ ସାଧାରଣ ନାଗରିକଙ୍କ ମିଳିତ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଶିଳ୍ପ କ୍ଷେତ୍ର ନିଯୁକ୍ତି, ଜୀବିକା ଓ ଆର୍ôଥକ ବିକାଶ ପାଇଁ ଅତ୍ୟାବଶ୍ୟକ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ପରିବେଶ ପ୍ରତି ଅଧିକ ଦାୟିତ୍ୱଶୀଳ ହୋଇ ବିକାଶକୁ ଆଗେଇ ନେବା ଦରକାର। ପ୍ରଦୂଷଣ ହ୍ରାସ, ଶକ୍ତି ଓ ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ହ୍ରାସ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା କରୁଥିବା ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ପାଇଁ ସେ ଆହ୍ୱାନ ଦେଇଥିଲେ।
ଯୁବପିଢ଼ିଙ୍କୁ ବୈଦ୍ୟୁତିକ ଯାନ ଓ ସ୍ୱଚ୍ଛ ପରିବହନ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦେଇ ଲୋକ ଭବନରେ ସ୍ଥାପିତ ୬୩୫ କିଲୋୱାଟ୍ ର ସୌର ବିଦ୍ୟୁତ୍ କେନ୍ଦ୍ର ସମ୍ପର୍କରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ। ରାଜ୍ୟପାଳଙ୍କ କାରକେଡ୍ ରେ ମଧ୍ୟ ବୈଦ୍ୟୁତିକ ଯାନ ବ୍ୟବହାର ଆରମ୍ଭ ହୋଇଥିବା ସେ କହିଥିଲେ।
ବିଶ୍ୱବିଦ୍ୟାଳୟ ପରିସରରେ ସୌର ଶକ୍ତି ୟୁନିଟ୍ ସ୍ଥାପନ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅତିକମରେ ଏକ ବର୍ଷ ପାଇଁ ମାଗଣାରେ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ସୁବିଧା ଦେବା ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ରେସ୍କୋ ମଡେଲକୁ ପ୍ରୋତ୍ସାହିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।
ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ‘ଗ୍ରୀନ୍ ସାର୍ଟିଫିକେସନ୍’ ହାସଲ କରିବାକୁ ଆହ୍ୱାନ ଦେବା ସହ “ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇବା” ନୀତିରେ ବର୍ଷସାରା ବୃକ୍ଷରୋପଣ କରିବାକୁ ଯୁବପିଢ଼ିଙ୍କୁ ରାଜ୍ୟପାଳ କହିଥିଲେ। ଲୋକ ଭବନର ଆଇଜିବିସି ଗ୍ରୀନ୍ ସାର୍ଟିଫିକେସନ୍, ସବୁଜିମା ବୃଦ୍ଧି, ପଶୁପକ୍ଷୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ଏବଂ ଜଳ ସଂରକ୍ଷଣ ପାଇଁ ଜଳ ଅମଳ ପ୍ରକଳ୍ପ ଭଳି ପଦକ୍ଷେପର ଉଦାହରଣ ଦେଇଥିଲେ।
ସୌର ଶକ୍ତି, ବୈଦ୍ୟୁତିକ ଯାନ, ଜଳ ସଂରକ୍ଷଣ ଓ ବର୍ଜ୍ୟବସ୍ତୁ ହ୍ରାସ ଭଳି ପଦକ୍ଷେପ ଦେଶର ଶକ୍ତି ସୁରକ୍ଷାକୁ ମଧ୍ୟ ମଜବୁତ କରିପାରିବ ବୋଲି ସେ କହିଥିଲେ। ଏହାଦ୍ୱାରା ଆମଦାନି ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବା ସହ ବୈଦେଶିକ ମୁଦ୍ରା ସଂଚୟ ହୋଇପାରିବ। ସ୍ୱଚ୍ଛ ଶକ୍ତି ଆପଣାଇବା ପାଇଁ ସରକାରଙ୍କ ସବସିଡି ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଥିଲେ।ପୃଥିବୀକୁ ବଞ୍ଚାଇବାକୁ ହେଲେ ପ୍ରଥମ ପଦକ୍ଷେପ ନିଜ ଘରୁ ଆରମ୍ଭ ହେଉ ବୋଲି ରାଜ୍ୟପାଳ କହିଥିଲେ।
ପରିବେଶ ସଚେତନତା ସୃଷ୍ଟି ପାଇଁ ମୁଦ୍ରିତ, ଟେଲିଭିଜନ୍, ରେଡିଓ ଓ ଡିଜିଟାଲ୍ ପ୍ଲାଟଫର୍ମ ସହ ‘କ୍ଲାଇମେଟ୍ ପଞ୍ଚାୟତ’, ‘ଗ୍ରୀନ୍ କ୍ୟାମ୍ପସ୍’, ଯୁବ ସମ୍ପୃକ୍ତି' ଓ ‘ପରିବେଶ ବିଧାନସଭା’ ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ସମ୍ବାଦ ଗ୍ରୁପ୍ କୁ ରାଜ୍ୟପାଳ ପ୍ରଶଂସା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସେଂଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଂଟର ମହାନିର୍ଦ୍ଦେଶିକା ସୁନୀତା ନାରାୟଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ସିଏମ୍ଡି ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ସମ୍ବାଦ ଓ କନକ ନ୍ୟୁଜ୍ ର ସମ୍ପାଦିକା ତନୟା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା