
ସମ୍ବଲପୁର, ୨ ଅକ୍ଟୋବର (ହି.ସ.)- ବୀମା ପ୍ରିମିୟମ ଟଙ୍କା ପାଇଁ ତତ୍ପରତା, ମାତ୍ର ବୀମାରାଶି ନପାଇ ମୃତକଙ୍କ ପରିବାର ହତାଶ
ବୀମା ପ୍ରାପ୍ୟ ଗଣ୍ଡାକ ପାଇଁ ବାରମ୍ବାର ବ୍ୟାଙ୍କକୁ ଯାଉଥିଲେ ମଧ୍ୟ ମିଳୁନି ସୁଫଳ । ବୀମା ପ୍ରିମିୟମ ଆଦାୟ ପାଇଁ ବିଭିନ୍ନ ବୀମା କମ୍ପାନୀର ଏଜେଣ୍ଟ ଉପଭୋକ୍ତା ମାନଙ୍କ ଠାରୁ ଠିକ୍ ସମୟରେ ଠିକ୍ ପଇସା ନେଇଥାନ୍ତି । ମାତ୍ର ବୀମା ଧାରକଙ୍କ ମୃତ୍ୟୁ ପରେ ବୀମାରାଶି ଗଣ୍ଡାକ ପାଇଁ ଦାବି ସମାଧାନରେ ମାସ ମାସ ଧରି ବ୍ୟାଙ୍କକୁ ମୃତକଙ୍କ ପରିବାର ଦଉଡିବା ତୀବ୍ର ଅସନ୍ତୋଷର କାରଣ ପାଲଟିଛି । ଏହିଭଳି ଅଭିଯୋଗରେ ହତାଶ ମୃତକଙ୍କ ପରିବାର ଏବେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରାଇଛନ୍ତି ।
ସ୍ବର୍ଗତ ଲୋକନାଥ ରୋହିଦାସ । ତାଙ୍କ ମୃତ୍ୟୁକୁ ପ୍ରାୟ ୧୧ ମାସ ବିତିଗଲାଣି। ତଥାପି ବୀମାରାଶି ଗଣ୍ଡାକ ପାଇବା ପାଇଁ ବ୍ୟାଙ୍କ ପକ୍ଷରୁ କୌଣସି ସମାଧାନ ହୋଇନଥିବା ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ରୋହିଦାସ ଅଭିଯୋଗ କରିଛନ୍ତି । ସେହିପରି ଗରିଆ ବାହାଲ ଗ୍ରାମର ସ୍ବର୍ଗତ ପ୍ରକାଶ ପଟେଲ । ତାଙ୍କ ମୃତ୍ୟୁର ୧୦ ମାସ ବିତିଯାଇଥିଲେ ମଧ୍ୟ ବୀମା ରାଶି ଗଣ୍ଡାକ ପାଇଁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ହତାଶ ହୋଇଥିବା ନେଇ ତାଙ୍କ ପୁଅ ରାଜା ପଟେଲ ପ୍ରକାଶ କରିଛନ୍ତି । ବେଲୁଆମାଲ'ର ସ୍ବର୍ଗତ ରମେଶ ଦେହୁରୀଙ୍କ ମାମଲା ମଧ୍ୟ ପ୍ରାୟ ୧୦ ମାସ ଧରି ଅପେକ୍ଷାରେ ରହିଥିବା ଅଭିଯୋଗ ହୋଇଛି।
ଅଭିଯୋଗକାରୀ ମାନଙ୍କ କହିବା ଅନୁସାରେ, ବୀମା ପାଇଁ ପ୍ରତିବର୍ଷ ବ୍ୟାଙ୍କ ଆକାଉଣ୍ଟରୁ ୪୩୬ ଟଙ୍କା ଲେଖାଏଁ ପ୍ରିମିୟମ ଦିଆଯାଉଥିଲା। ନିୟମିତ ପ୍ରିମିୟମ ଦେଉଥିବା ହିତାଧିକାରୀଙ୍କ ମୃତ୍ୟୁ ଘଟିଲେ ତ୍ୱରିତ ଦୁଇ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ମିଳିବ ବୋଲି ଆଶା ରଖିଥିଲେ ପରିବାର। ମାତ୍ର ପରିବାରର ମୁଖ୍ୟଙ୍କ ମୃତ୍ୟୁକୁ କାହାର ୧୦, କାହାର ୧୧ ମାସ ଭଳି ସମୟ ବିତି ଯାଇଥିଲେ ମଧ୍ୟ ପ୍ରାପ୍ୟ ଗଣ୍ଡାକ ପାଇଁ କେବଳ ବ୍ୟାଙ୍କକୁ ଦୌଡି ଦୌଡି ହତାଶ ହେବା ସାର ହେଉଛି । ଏପରିକି ହିତାଧିକାରୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ନଦେଇ ବ୍ୟାଙ୍କ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ନୂଆ ନୂଆ ନିୟମ, ନୂଆ ନୂଆ କାଗଜାତ ମାଗୁଥିବା ଅଭିଯୋଗ ହେଉଛି । ହିତାଧିକାରୀ ମାନେ ମଧ୍ୟ ପଡିଉଠି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆବଶ୍ୟକ କାଗଜାତ୍ ଦାଖଲ କରି ମାସ ମାସ ଧରି ଅପେକ୍ଷା କରି ରହିଛନ୍ତି । ଅପରପକ୍ଷରେ ବ୍ୟାଙ୍କ ପରିଚାଳକ ହିତାଧିକାରୀଙ୍କ ସମସ୍ୟାର ସମାଧାନ ପାଇଁ ବାରମ୍ବାର ବ୍ୟାଙ୍କକୁ ଡକାଇବା ଯୋଗୁଁ କାଗଜପତ୍ର ଧରି ହିତାଧିକାରୀ ଯାଉଛନ୍ତି । ହେଲେ ଏହାର ସମାଧାନ ହେବ କେବେ ସେ ସମ୍ପର୍କରେ କୌଣସି ସଠିକ୍ ଉତ୍ତର ମିଳୁନାହିଁ ବୋଲି ଅଭିଯୋଗକାରୀମାନେ କହିଛନ୍ତି ।
ଗୋଟିଏ ପଟେ ପରିବାର ସଦସ୍ୟଙ୍କ ମୃତ୍ୟୁର ଦୁଃଖରେ ପରିବାର ଭାଙ୍ଗି ପଡିଥିବା ବେଳେ, ଅପରପକ୍ଷେ ବୀମା ରାଶି ଗଣ୍ଡାକ ପାଇବା ଆଶାରେ ବାରମ୍ବାର ବ୍ୟାଙ୍କକୁ ଯାଇ ହତାଶ ହୋଇ ଫେରିବା ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ