
କେନ୍ଦ୍ରାପଡ଼ା , 02 ଅକ୍ଟୋବର (ହି.ସ.) - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ା ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି।କାର୍ୟ୍ୟକ୍ରମରେ ନିରାପଦ ଗର୍ଭପାତର ଗୁରୁତ୍ୱ, ମାତୃ ମୃତ୍ୟୁ ହ୍ରାସରେ ଏହାର ଭୂମିକା ଏବଂ ସରକାରଙ୍କ ନିର୍ଦ୍ଧାରିତ ନିୟମ ଓ ଚିକିତ୍ସା ପ୍ରୋଟୋକଲ୍ ଅନୁଯାୟୀ ଗର୍ଭପାତ ସେବା ଗ୍ରହଣ କରିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଅସୁରକ୍ଷିତ ଭାବେ ଔଷଧ ସେବନ କିମ୍ବା ଅନଧିକୃତ ବ୍ୟକ୍ତିଙ୍କ ଠାରୁ ଚିକିତ୍ସା ଗ୍ରହଣ କରିବା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ ଓ ଅନ୍ୟାନ୍ୟ ଜଟିଳତା ସୃଷ୍ଟି ହୋଇ ଜୀବନ ପ୍ରତି ବିପଦ ଦେଖାଦେଇପାରେ ବୋଲି ସତର୍କ କରାଯାଇଥିଲା।ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରଶିକ୍ଷିତ ଡାକ୍ତରଙ୍କ ଦ୍ୱାରା ନିରାପଦ ଗର୍ଭପାତ ସେବା ଉପଲବ୍ଧ ହୋଇଥାଏ। ଏ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଓ ସେବା ପାଇଁ ନିଜ ଅଞ୍ଚଳର ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନମିତା ପଟ୍ଟନାୟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପ୍ରଶିକ୍ଷିତ ଡାକ୍ତରମାନେ ନିରାପଦ ଗର୍ଭପାତ ସେବାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସେବାର ସଫଳ ରୂପାୟନ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସେ ଅନୁରୋଧ କରିଥିଲେ।କାର୍ୟ୍ୟକ୍ରମରେ ଏଡିଏମଓ (ମେଡିକାଲ) ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ୟାମ ସୁନ୍ଦର ଟୁଡୁ, ରାଜ୍ୟସ୍ତରରୁ ନଳିନୀକାନ୍ତ ତ୍ରିପାଠୀ, ଆଇଡିଏଫ୍, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଡାକ୍ତର ମନୋରଞ୍ଜନ ସାହୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଡେପୁଟି ମ୍ୟାନେଜର ଡାକ୍ତର ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା, ସହକାରୀ ପରିଚାଳକ ଜିତେନ୍ଦ୍ର ଖଡ଼ିରତ୍ନଙ୍କ ସମେତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର, ବ୍ଲକ୍ ସ୍ତରୀୟ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।ସମସ୍ତ ଯୋଗ୍ୟ ମହିଳାଙ୍କୁ ନିରାପଦ ଓ ଆଇନସମ୍ମତ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସଚେତନ କରିବା ସହ ଅସୁରକ୍ଷିତ ଗର୍ଭପାତକୁ ରୋକିବା ଏବଂ ମାତୃ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ କାର୍ୟ୍ୟ କରିବାକୁ ଆହ୍ୱାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରବି