
କେନ୍ଦ୍ରାପଡ଼ା, 02 ଅକ୍ଟୋବର (ହି.ସ.) - ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଆଜି ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନ, ଆଦର୍ଶ ଓ ଦେଶ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକ ଅତିଥି ଭାବେ ଯୋଗ ଦେଇଥିଲେ।ଶିକ୍ଷାବିଦ, ସାହିତ୍ୟିକ ଓ ଗବେଷକ ଡାକ୍ତର ବାସୁଦେବ ଦାସ ଏବଂ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡ଼ା ବକ୍ତା ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶ ଏବଂ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ୟ୍ୟକ୍ରମରେ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଗୀତା ପାଠ କରିଥିଲେ ମାଧବ ଚରଣ ନନ୍ଦ, କୋରାନ ପାଠ କରିଥିଲେ ଜନାବ ମହମ୍ମଦ ଏନାୟାତୁଲ୍ଲା ଏବଂ ବାଇବେଲ ପାଠ କରିଥିଲେ ଧ୍ରୁବ ଚରଣ ନାୟକ। ଏହି ସର୍ବଧର୍ମ ପ୍ରାର୍ଥନା ମାଧ୍ୟମରେ ଶାନ୍ତି, ସଦ୍ଭାବ, ଭାଇଚାରା ଓ ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଦିଆଯାଇଥିଲା।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂ ଧନ୍ୟବାଦ ଅର୍ପଣ କରିଥିଲେ।ଏହା ପୂର୍ବରୁ ଆଜି ସକାଳେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି