ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଧବୀ ସଧବାରୁ ହେଲେ ବିଧବା, ହାତରୁ ନିଜେ ଭାଙ୍ଗିଲେ ଶଙ୍ଖା, ମଥାରୁ ପୋଛିଲେ ସିନ୍ଦୂର
ଭଦ୍ରକ, ୨ ଅକ୍ଟୋବର (ହି.ସ.) - ୪୫ ବର୍ଷର ଦୀର୍ଘ ପ୍ରତୀକ୍ଷା। ଆଖିରୁ ଶୁଖିଯାଇଥିଲା ଅଶ୍ରୁ।ହେଲେ ସିନ୍ଦୂରର ଲାଲ୍ ରଙ୍ଗରେ ଜୀବନ୍ତ ଥିଲା ସ୍ୱାମୀ ଫେରିବାର ଗୋଟିଏ ସୂକ୍ଷ୍ମ ଆଶା। କିନ୍ତୁ ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଲା। ପରିବାରର ମଙ୍ଗଳ, ପୁତ୍ରର ଭବିଷ୍ୟତ ପାଇଁ, ଜଣେ ସ୍ତ୍ରୀ ନିଜ ହାତରେ ଆଜି
MADHABI SADHABARU BIDHABA


ଭଦ୍ରକ, ୨ ଅକ୍ଟୋବର (ହି.ସ.) - ୪୫ ବର୍ଷର ଦୀର୍ଘ ପ୍ରତୀକ୍ଷା। ଆଖିରୁ ଶୁଖିଯାଇଥିଲା ଅଶ୍ରୁ।ହେଲେ ସିନ୍ଦୂରର ଲାଲ୍ ରଙ୍ଗରେ ଜୀବନ୍ତ ଥିଲା ସ୍ୱାମୀ ଫେରିବାର ଗୋଟିଏ ସୂକ୍ଷ୍ମ ଆଶା। କିନ୍ତୁ ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଲା। ପରିବାରର ମଙ୍ଗଳ, ପୁତ୍ରର ଭବିଷ୍ୟତ ପାଇଁ, ଜଣେ ସ୍ତ୍ରୀ ନିଜ ହାତରେ ଆଜି ପୋଛିଦେଇଛି ସ୍ୱାମୀ ନାଁର ସିନ୍ଦୂର। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୋଳସାହି ହଳଧରବିନ୍ଧା ଗାଁରେ ଘଟିଛି ଏଭଳି ଏକ ହୃଦୟ ସ୍ପର୍ଶୀ ଘଟଣା । ଭଦ୍ରକ ଜିଲ୍ଲା ଗୁଆମାଳର ଜଗବନ୍ଧୁ ମଲ୍ଲିକଙ୍କ ପୁଅ ଗୟାଧର ଯେତେବେଳେ ଦୋଳସାହି ହଳଧରବିନ୍ଧାର ଘନଶ୍ୟାମ ବେହେରାଙ୍କ ଝିଅ ମାଧବୀଙ୍କ ହାତ ଧରିଥିଲେ, ସେତେବେଳେ କେହି ଭାବିନଥିଲେ ଯେ ଏହି ବିବାହର ଖୁସି ଏତେ କମ୍ ଦିନର ହେବ। ବିବାହ ପରେ ଗୟାଧର ଶ୍ୱଶୁର ଘରେ ଘରଜ୍ୱାଇଁ ହୋଇ ରହିଲେ। ଦୁଇ ବର୍ଷ ପରେ କୋଳକୁ ଆସିଲା ଏକ ଶିଶୁପୁତ୍ର ରାଜକିଶୋର। ଛୋଟ ପରିବାରଟିରେ ହସଖୁସିର ଲହରୀ ଖେଳିଯାଇଥିଲା। କିନ୍ତୁ ଖୁସିର ଆୟୁଷ ଥିଲା ଅତି କମ୍। ପୁଅ ରାଜକିଶୋରକୁ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା, ହଠାତ୍ ଦିନେ ନିଖୋଜ ହୋଇଗଲେ ବାପା ଗୟାଧର। ଲୋକେ କହିଲେ,ଗୟାଧରଙ୍କର କାଳେ ମୁଣ୍ଡ ଦୋଷ ଥିଲା, ସେ ସେଥିପାଇଁ କୁଆଡ଼େ ଚାଲିଗଲେ। ସେହି ଦିନଠାରୁ ଆରମ୍ଭ ହୋଇଥିଲା ମାଧବୀଙ୍କର କଠିନ ସଂଗ୍ରାମ। କୋଳର ୫ ବର୍ଷର ପୁଅକୁ କୋଳେଇ-କାଖେଇ, ଦୁଃଖ-କଷ୍ଟ ସହି ବଡ଼ କଲେ। ପ୍ରତିଟି ସଞ୍ଜରେ ଦୁଆର ମୁହଁରେ ଦୀପଟିଏ ଜାଳି ସେ ଆଶା ରଖୁଥିଲେ,ହୁଏତ ଆଜି ଗୟାଧର ଫେରିଆସିବେ। ଚାହୁଁ ଚାହୁଁ ବିତିଗଲା ଦୀର୍ଘ ୪୫ ବର୍ଷ। ଗୟାଧର ଆଉ ଫେରିଲେନି। ପୁଅ ରାଜକିଶୋରଙ୍କ ବୟସ ଆଜି ୫୦ ବର୍ଷ। ଘରେ ବୋହୁ ପୁଷ୍ପାଞ୍ଜଳି,ଦୁଇ ନାତୁଣୀ ମୀରା ଓ ଲିପା,ଏକ ନାତି ରିଶି। ପରିବାର ଓ ଗ୍ରାମବାସୀ ସମସ୍ତେ ଗୟାଧରଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ଭାରତୀୟ ଆଇନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ୭ ବର୍ଷରୁ ଅଧିକ ସମୟ ଧରି ନିଖୋଜ ରୁହନ୍ତି, ତେବେ ତାଙ୍କୁ ଆଇନଗତ ଭାବେ ମୃତ ବୋଲି ଧରିନିଆଯାଏ। ସମ୍ପତି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ କୋର୍ଟରୁ ଡିକ୍ଲାରେସନ୍ ସାର୍ଟିଫିକେଟ୍ ଆଣିବା ନିହାତି ଜରୁରୀ ହୋଇପଡ଼ିଥିଲା। ପରିବାରର ଆଗାମୀ ଭବିଷ୍ୟତ ଓ ମଙ୍ଗଳ ପାଇଁ ଶେଷରେ ନିଜ ମନକୁ ପଥର କଲେ ମାଧବୀ। ୪୫ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ, ଆଇନ ଓ ପରମ୍ପରା ଆଗରେ ନିଜ ହାତରୁ ଶଙ୍ଖା ଭାଙ୍ଗିଲେ, ମଥାରୁ ସିନ୍ଦୂର ପୋଛିଦେଲେ।ଯେଉଁ ସିନ୍ଦୂରକୁ ସେ ୪୫ ବର୍ଷ ଧରି ନିଜ ପ୍ରେମ ଓ ବିଶ୍ୱାସର ସଙ୍କେତ ଭାବେ ସିମନ୍ତରେ ପିନ୍ଧିଥିଲେ, ତାକୁ ନିଜ ହାତରେ ପୋଛିଦେବା ବେଳେ ତାଙ୍କ ଆଖିରୁ ଝରିପଡ଼ୁଥିଲା ଧାର ଧାର ଲୁହ। ଆଜି ଗୟାଧରଙ୍କ ମରଶରୀର ସିନା ନାହିଁ, ହେଲେ ତାଙ୍କର ପୁତଳିକା ତିଆରି କରିଥିଲେ ପରିବାର ଗ୍ରାମବାସୀ। ଏବଂ ହିନ୍ଦୁ ଧର୍ମର ରୀତି ନିତି ଅନୁଯାୟୀ କୋକେଇରେ ଗ୍ରାମ ପରିକ୍ରମା କରି ଗାଁ ମୁଣ୍ଡ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ଗୟାଧରଙ୍କ ନାମରେ ଜୁଇ ଜଳୁଛି ହଳଧର ବିନ୍ଧା ଗାଁ ମଶାଣିରେ, ହିନ୍ଦୁଧର୍ମ ରିତିନୀତି ଅନୁସାରେ ପଞ୍ଚ ଭୂତରେ ଲୀନ ହୋଇଛନ୍ତି ଗୟାଧର। ହେଲେ ମାଧବୀ ସିନା ଆଇନଗତ ଭାବେ ବିଧବା ସାଜିଛନ୍ତି, କିନ୍ତୁ ସ୍ୱାମୀଙ୍କ ପ୍ରତି ତାଙ୍କର ନିଶ୍ଚଳ ଭଲପାଇବା ଓ ୪୫ ବର୍ଷର ପ୍ରତୀକ୍ଷା ସମାଜ ପାଇଁ ଏକ ଅବିଶ୍ୱସନୀୟ ଓ ହୃଦୟସ୍ପର୍ଶୀ ଉଦାହରଣ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande