
ଜୟପୁର, ୦୨ ଅକ୍ଟୋବର (ହି.ସ.) - ଗାନ୍ଧୀ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜୟପୁର ସହରକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବା ଲକ୍ଷ୍ୟରେ ଜୟପୁର ପୌରପାଳିକା ପକ୍ଷରୁ ଶୁକ୍ରବାର ସକାଳୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ‘ପ୍ଲାଷ୍ଟିକକୁ ନା କୁହନ୍ତୁ’ ଓ ‘ସ୍ୱଚ୍ଛତା ହିଁ ସେବା’ ବାର୍ତା ନେଇ ଆୟୋଜିତ ଏହି ପଦଯାତ୍ରାରେ ପୌର ନିର୍ବାହୀ ଅଧିକାରୀ ପୂଜା ରାଉତଙ୍କ ନେତୃତ୍ୱ ପୌର ଉପାଧ୍ୟକ୍ଷ ବି. ସୁନୀତାଙ୍କ ଉପସ୍ଥିତିରେ ପୁରୁଣା ସରକାରୀ ବସ ଷ୍ଟାଣ୍ଡ ସମ୍ମୁଖରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହା ଏମ୍ଜି ରୋଡ୍, ବେଲ୍ ରୋଡ୍ ସମେତ ବିଭିନ୍ନ ବ୍ୟବସାୟିକ ଅଂଚଳ ପରିକ୍ରମା କରି ରାଜନଅର ଛକ ନିକଟରେ ଶେଷ ହୋଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଧରି ‘ଭାଇ ଭଉଣୀ ଏକ ହେବା, ସ୍ୱଚ୍ଛତା ଶପଥ ଆମେ କରିବା’ ଭଳି ସ୍ଲୋଗାନ ଦେଇ ସହରବାସୀଙ୍କୁ ପ୍ଲାଷ୍ଟିକ ବର୍ଜନ ପାଇଁ ଆହ୍ୱାନ କରିଥିଲେ। ଏହି ପଦଯାତ୍ରାକୁ ଚାମ୍ବର ଅଫ୍ କମର୍ସ, ସେବା ଗ୍ରୁପ ଓ ସ୍ଥାନୀୟ ଜନସାଧାରଣ ମଧ୍ୟ ସମର୍ଥନ କରିଥିଲେ। ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ରାଉତଙ୍କ କହିବା ଅନୁସାରେ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ପରିବେଶ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏହା ମାଟିରେ ସହଜରେ ମିଶି ନ ଥିବାରୁ ଚାଷଜମି ଓ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଛି। ପ୍ଲାଷ୍ଟିକ ଜାଳିବା ଦ୍ୱାରା ବାୟୁ ପ୍ରଦୂଷଣ ବଢ଼ୁଛି। ଏହାର ଭବିଷ୍ୟତ ପିଢ଼ି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ। ତେଣୁ ବଜାରକୁ ଯିବା ସମୟରେ ଘରୁ କପଡ଼ା ବ୍ୟାଗ୍ ନେଇ ଯିବାକୁ ସେ ସହରବାସୀଙ୍କୁ ଅନୁରୋଧ କରିଥିଲେ। ପ୍ଲାଷ୍ଟିକ ବ୍ୟବହାର ରୋକିବା ନେଇ ପୂର୍ବରୁ ବ୍ୟବସାୟୀ ସଂଘ ସହ ବୈଠକ କରାଯାଇ ସଚେତନ କରାଯାଇଥିବା ପୌରପାଳିକା ପକ୍ଷରୁ କୁହାଯାଇଛି। ତଥାପି ନିୟମ ଉଲ୍ଲଂଘନ କରି ପ୍ଲାଷ୍ଟିକ ବ୍ୟବହାର ଜାରି ରହିଲେ ଆଗାମୀ ଦିନରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯିବ। ଏଥିସହ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି