
ଝାରସୁଗୁଡ଼ା, 02 ଅକ୍ଟୋବର (ହି.ସ.) ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଝାରସୁଗୁଡ଼ା ପୌରାଞ୍ଚଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଏନେଇ ପୌରପାଳିକା ପକ୍ଷରୁ ସର୍ଭେ ଓ ଯାଞ୍ଚ କରାଯାଇ କ୍ଷତିଗ୍ରସ୍ତ ଘର ଓ ପ୍ରଭାବିତ ପରିବାରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାକୁ ଗତ ୨୦ ଅଗଷ୍ଟ ୨୦୨୬ରେ ଦାଖଲ କରାଯାଇଥିବା ଜଣାପଡ଼ିଛି।
ପୌରପାଳିକାର ସର୍ଭେ ଅନୁଯାୟୀ, ବର୍ଷାରେ ଝାଟିମାଟି ଘରଠାରୁ ଆରମ୍ଭ କରି ପୁରୁଣା ପକ୍କା ଘର ପର୍ଯ୍ୟନ୍ତ ବିଭିନ୍ନ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ପରିବାରଗୁଡ଼ିକୁ ପ୍ରଚଳିତ ସରକାରୀ ନିୟମ ଅନୁଯାୟୀ ଉପଯୁକ୍ତ ରିଲିଫ୍ ଓ ଘର କ୍ଷତି ସହାୟତା ପ୍ରଦାନ କରିବାକୁ ପୌରପାଳିକା ପକ୍ଷରୁ ଅନୁରୋଧ କରାଯାଇଛି।
ତାଲିକାରେ ବୁରୋମାଲ, ତେଲିଭଟା, ସାରସମାଲ, ଝାରିଆନାଲା ଓରାମପଡ଼ା, ଭୁଲିଆଟିକ୍ରା, ଏକାତାଲି, ଲୁହୁରାପଡ଼ା, ଭୁଲିଆପଡ଼ା, ରୋହିଦାସପଡ଼ା ସମେତ ବିଭିନ୍ନ ଅଞ୍ଚଳର ପ୍ରଭାବିତ ପରିବାରଙ୍କ ନାମ ରହିଛି। ଏହାସହ ୱାର୍ଡ ନମ୍ବର ୨, ୫, ୬, ୮, ୧୦, ୧୧, ୧୫, ୧୬ ଓ ୧୭ର କ୍ଷତିଗ୍ରସ୍ତ ଘରଗୁଡ଼ିକୁ ତାଲିକାଭୁକ୍ତ କରାଯାଇଛି।
ଏନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବର୍ଷାଜନିତ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଇ ପ୍ରଭାବିତ ପରିବାରଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରଭାବିତ ଲୋକଙ୍କ ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣି ଆବଶ୍ୟକ ସହାୟତା ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଆଧାରରେ ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଏସଡିଆରଏଫ ନିୟମ ଅନୁଯାୟୀ ସହାୟତା ପ୍ରଦାନ ପ୍ରକ୍ରିୟା ଚାଲିଛି। ଏବେ ପ୍ରଶାସନ ପକ୍ଷରୁ କେତେ ପରିବାରଙ୍କୁ କେତେ ପରିମାଣର ସହାୟତା ମିଳୁଛି, ତାହା ଉପରେ ପ୍ରଭାବିତଙ୍କ ନଜର ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ