
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ) - ମହାତ୍ମା ଗାନ୍ଧିଜୀଙ୍କର ୧୫୭ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ଓବିସି ଫୋରମ ପକ୍ଷରୁ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫୋରମର ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ ସାମାଜିକ ନ୍ୟାୟ ଅଧିକାର ପାଇଁ ଏକ ପଦଯାତ୍ରା ଜନତା ମୈଦାନ ସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ପହଂଚି ବିକ୍ଷୋଭ କରାଯାଇଥିଲା । ବିକ୍ଷୋଭ ସ୍ଥଳରୁ ଓବିସି କମିଶନ ପୁନଃ ଗଠନ, ଆଗାମୀ ଜିଲ୍ଲା ପରିଷଦ ଓ ମୁନ୍ସିପାଲିଟି ନିର୍ବାଚନ ରେ ରାଜ୍ୟର ପଛୁଆ ବର୍ଗଙ୍କୁ ୨୭ ଭାଗ ସଂରକ୍ଷଣ ପ୍ରଦାନ କରିବା ଓ ଆଗାମୀ ୨୦୨୭ ମସିହା ଫେବୃୟାରୀ ମାସରେ ଆରମ୍ଭ ହେବାକୁ ଯାଉଥିବା ଜାତି ଜନଗଣନା ଫର୍ମରେ ‘ଓବିସି ସ୍ତମ୍ଭ’ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ଏବଂ ଓବିସି ଅର୍ଥ କମିଶନକୁ ସକ୍ରିୟ କରି ପଛୁଆ ବର୍ଗର ବେକାର ଯୁବକ ଓ ଯୁବତୀଙ୍କୁ ସ୍ୱଳ୍ପ ସୁଧରେ ଆତ୍ମନିଯୁକ୍ତି ଋଣ ପ୍ରଦାନ କରିବା ଦାବିରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟପାଳ ଓବିସି କମିଶନ ଗଠନ ପାଇଁ ମଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହି ବିକ୍ଷୋଭରେ ପୂର୍ବତନ କର୍ପୋରେଟର ନବ କିଶୋର ବେହେରା, ସାମାଜିକ ନ୍ୟାୟର ବରିଷ୍ଠ ନେତା ପ୍ରଫୁଲ୍ଲ ଦାସ, ଅବସର ପ୍ରାପ୍ତ କାର୍ଯ୍ୟ ନିର୍ବାହୀ ମୁଖ୍ୟ ଯନ୍ତ୍ରୀ ଅଭିମନ୍ୟୁ ବାରିକ, ସାମାଜିକ ନ୍ୟାୟ ନେତା ରବିନ୍ଦ୍ର ପଳେଇ, ନାରୀନେତ୍ରୀ ସୁଭର୍ଦଶିନୀ ରାଉତ ଓ ରଶ୍ମିରେଖା ବେହେରା, ଯୁବ ନେତା ଦେଶ ପ୍ରିୟ ଦାସ, ନିଲୁ ଖୁଣ୍ଟିଆ, ରଘୁନାଥ ବେହେରା ଓ ପିତାମ୍ବର ବେହେରା ଓ ଟଙ୍କଧର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା