ଦେଢ଼ ବର୍ଷର ଆନ୍ଦୋଳନ ପରେବି ମିଳିନି ସମାଧାନ, ୬୮ ଦିନରେ ପହଂଚିଲା ଧାରଣା, ଅକ୍ଟୋବର ୯ରେ ପୁଣି ରେଳରୋକ କରିବ ଭଦ୍ରକ ଜିଲା ବିକାଶ ପରିଷଦ, ଜିଲା ଟିପର ଓ ବିଶ୍ୱକର୍ମା ମାଲିକ ସଂଘ
ଭଦ୍ରକ, ୨ ଅକ୍ଟୋବର (ହି.ସ.) - ଧାମରା ବନ୍ଦରରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି, ଗାଡ଼ି ମାଲିକଙ୍କ ସମସ୍ୟାର ସମାଧାନ ଓ ବନ୍ଦର କର୍ତୃପକ୍ଷଙ୍କ କଥିତ ମନମୁଖୀ କାର୍ଯ୍ୟକଳାପର ପ୍ରତିବାଦରେ ଦୀର୍ଘ ଦେଢ଼ ବର୍ଷ ଧରି ଚାଲିଆସୁଥିବା ଆନ୍ଦୋଳନ ଶେଷରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬୮ଦିନ ଧରି ପ
OCTOBER 9 RAIL ROK ANDOLAN TIPPER MALIKA SANGHA


ଭଦ୍ରକ, ୨ ଅକ୍ଟୋବର (ହି.ସ.) - ଧାମରା ବନ୍ଦରରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି, ଗାଡ଼ି ମାଲିକଙ୍କ ସମସ୍ୟାର ସମାଧାନ ଓ ବନ୍ଦର କର୍ତୃପକ୍ଷଙ୍କ କଥିତ ମନମୁଖୀ କାର୍ଯ୍ୟକଳାପର ପ୍ରତିବାଦରେ ଦୀର୍ଘ ଦେଢ଼ ବର୍ଷ ଧରି ଚାଲିଆସୁଥିବା ଆନ୍ଦୋଳନ ଶେଷରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୬୮ଦିନ ଧରି ପ୍ରତୀକାତ୍ମକ ଧାରଣାରେ ପହଂଚିଛି। ଗଣତାନ୍ତ୍ରିକ ଉପାୟରେ ବିଭିନ୍ନ ସମୟରେ ରେଳରୋକ, ରାସ୍ତାରୋକ, ପ୍ରତିବାଦ, ଓ ଧାରଣା ଭଳି ବିଭିନ୍ନ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ନେଇ ଆଜି ଗାନ୍ଧି ଜୟନ୍ତୀରେ ଧାରଣାସ୍ଥଳରେ ବସିଥିବା ଭଦ୍ରକ ଜିଲା ବିକାଶ ପରିଷଦ, ଜିଲା ଟିପର ଓ ବିଶ୍ୱକର୍ମା ମାଲିକ ସଂଘର କର୍ମକର୍ତାମାନେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଭଦ୍ରକ ଜିଲା ବିକାଶ ପରିଷଦ ତଥା ଜିଲା ଟିପର ଡମ୍ପର ଟ୍ରକ୍ ମାଲିକ ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର ଓ ସାଧାରଣ ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ଅଭିଯୋଗ ମୂଳେ ଗତ ଦେଢ଼ ବର୍ଷ ମଧ୍ୟରେ ସେମାନଙ୍କ ସଂଘ ପକ୍ଷରୁ ଦୁଇଥର ରେଳରୋକ କରାଯାଇଛି। ଏଥିସହ ଜାତୀୟ ରାଜପଥ-୧୬ରେ ମଧ୍ୟ ଗାଡ଼ି ଅଟକାଇ ପ୍ରତିବାଦ କରାଯାଇଥିଲା। ଧାମରା ବନ୍ଦର ଅଂଚଳରୁ ଆସୁଥିବା ଗାଡ଼ି ସମ୍ପର୍କିତ ସମସ୍ୟାକୁ ନେଇ ମଧ୍ୟ ପ୍ରତିବାଦ ହୋଇଥିବାର ସେମାନେ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟୋକନ ଷ୍ଟ୍ରାଇକ୍ କରାଯାଇଥିବାବେଳେ ପ୍ରାୟ ୬୮ ଦିନ ଧରି ରିଲେ ଷ୍ଟ୍ରାଇକ୍ ମଧ୍ୟ ଚାଲିଛି। ତେବେ ଏହି ଧାରଣା ପରେ ଗତ ୨୨ ତାରିଖରେ ଭଦ୍ରକର ପାନ୍ଥ ନିବାସ ଠାରେ ପ୍ରଶାସନ ପକ୍ଷରୁ ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ତିହିଡି ତହସିଲଦାର, ଚାନ୍ଦବାଲି ଏସଡିପିଓ, ଧାମରା ବନ୍ଦର ଆଦାନୀ କର୍ତୃପକ୍ଷଙ୍କ ଉପସ୍ଥିତିରେ ଉଭୟ ସଂଘର କର୍ମକର୍ତାଙ୍କୁ ନେଇ ଏକ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନର ପନ୍ଥା ହୋଇପାରିନାହିଁ। ଏଭଳି ସମସ୍ତ ପ୍ରତିବାଦ ସତ୍ୱେ ଜିଲ୍ଲା ପ୍ରଶାସନ ସେମାନଙ୍କ ଦାବି ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି। ଆନ୍ଦୋଳନକାରୀମାନେ ଆହୁରି କହିଛନ୍ତି ଯେ, ଧାମରା ବନ୍ଦରର ବିକାଶ ଓ ପ୍ରତିଷ୍ଠାରେ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ମୂଳବାସୀ ଲୋକଙ୍କ ଅବଦାନ ରହିଛି। ବନ୍ଦର ଆଜି ବଡ଼ ଶିଳ୍ପ ପ୍ରତିଷ୍ଠାନ ଭାବେ ବିକଶିତ ହୋଇଥିବା ସତ୍ୱେ ସ୍ଥାନୀୟ ଲୋକମାନେ ତାହାର ଲାଭରୁ ଆଶାନୁରୂପ ଭାବେ ବଂଚିତ ହେଉଥିବାର ସେମାନେ କହିଛନ୍ତି। ବିଶେଷକରି ଧାମରା ଅଂଚଳର ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେତେକଙ୍କୁ ଚାକିରି ଓ ବ୍ୟବସାୟର ସୁଯୋଗ ମିଳୁଥିବାବେଳେ ବ୍ୟାପକ ଭଦ୍ରକ ଜିଲ୍ଲାର ଶିକ୍ଷିତ ବେକାର ଯୁବକ-ଯୁବତୀ ଏବଂ ଗାଡ଼ି ମାଲିକମାନେ ଆବଶ୍ୟକ ସୁଯୋଗ ପାଉନାହାଁନ୍ତି। ତେବେ ବନ୍ଦରକୁ ନେଇ ଅନେକ ଆଶା ଓ ସ୍ୱପ୍ନ ଦେଖିଥିବା ଯୁବପିଢ଼ି ନିଯୁକ୍ତି ସୁଯୋଗରୁ ବଂଚିତ ହେବା ନେଇ ସେମାନେ ଉଦବେଗ ପ୍ରକାଶ କରିଛନ୍ତି। ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ସେପ୍େଟମ୍ବର ୯ ତାରିଖରେ ରେଳରୋକ ପାଇଁ ଆହ୍ୱାନ ଦିଆଯାଇଥିଲା। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଥିଲେ ମଧ୍ୟ ଦାବିଗୁଡ଼ିକର ସମାଧାନ ନେଇ ଠୋସ ପଦକ୍ଷେପ ନିଆଯାଇନାହିଁ। ଏହାର ପ୍ରତିବାଦରେ ଆସନ୍ତା ଅକ୍ଟୋବର ୯ ତାରିଖରେ ପୁଣି ରେଳରୋକ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ରେଳରୋକରେ ଗାଡ଼ି ସମସ୍ୟା ସହିତ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗକୁ ମଧ୍ୟ ପ୍ରମୁଖ ଭାବେ ଉଠାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଧାମରା ବନ୍ଦରକୁ କେନ୍ଦ୍ର କରି ଭଦ୍ରକର ଶିକ୍ଷିତ ବେକାର ଯୁବକ-ଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଗାଡ଼ି ମାଲିକମାନଙ୍କ ସମସ୍ୟାର ସମାଧାନ ପାଇଁ ଏହି ପ୍ରତିବାଦରେ ଦାବି ରହିବ। ଆଗାମୀ ଦିନରେ ବନ୍ଦର କର୍ତୃପକ୍ଷଙ୍କ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଦାବିକୁ ଅଣଦେଖା କରାଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ସତର୍କ କରିଛନ୍ତି। ଏଥିସହ ଭଦ୍ରକ ଜିଲ୍ଲାର ଯୁବକ-ଯୁବତୀ, ଗାଡ଼ି ମାଲିକ ଓ ସାଧାରଣ ଜିଲ୍ଲାବାସୀଙ୍କୁ ଅକ୍ଟୋବର ୯ର ରେଳରୋକରେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି। ସ୍ଥାନୀୟ ଶିକ୍ଷିତ ଯୁବକ-ଯୁବତୀଙ୍କୁ ଧାମରା ବନ୍ଦରରେ ନିଯୁକ୍ତି, ଗାଡ଼ି ମାଲିକଙ୍କ ସମସ୍ୟାର ସମାଧାନ ଏବଂ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସଭାପତି ଶ୍ରୀ ରାୟମହାପାତ୍ର ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande