
ପୁରୀ, ୨ ଅକ୍ଟୋବର (ହି.ସ.)- ଆତ୍ମବିଶ୍ବାସ, ପରିଶ୍ରମ ଓ ନିଷ୍ଠାର ଫଳ ସବୁବେଳେ ମଧୁର। ଏହାକୁ ପ୍ରମାଣ କରିଛନ୍ତି ଅଭିମନ୍ୟୁ ବିଶ୍ବାଳ। ନିଜର କଠୋର ପରିଶ୍ରମ ଓ ପରିବର୍ତ୍ତିତ ନିଷ୍ପତ୍ତି ଆଜି ଅଭିମନ୍ୟୁଙ୍କୁ ଅଭାବର ଚକ୍ରବ୍ୟୁହକୁ ପରାହତ କରି ଦେଇଛି ନୂଆ ପରିଚୟ। ପୁରୀ ଜିଲା ଡେଲାଙ୍ଗ ବ୍ଲକ ଗୁଆଳିପଡା ପଞ୍ଚାୟତ ମାଛପଡା ଗ୍ରାମର ଅଭିମନ୍ୟୁ ବିଶ୍ବାଳ। ବର୍ଷ ପରେ ବର୍ଷ ଧାନ ଚାଷ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ।ତେବେ ଅଧିକ ପରିଶ୍ରମ ସତ୍ବେ ତାଙ୍କ ପରିଶ୍ରମର ମୂଲ୍ୟ ତାଙ୍କୁ ମିଳୁନାହିଁ ବୋଲି ମନେ କରି ସେ ଧାନ ଚାଷରୁ ଉଦ୍ୟାନ କୃଷି ପାଇଁ ମନ ବଳାଇଲେ। ମୋର ୨.୧୭ ଏକର ଧାନଚାଷ ଜମି ଥିଲା। ତେବେ ସେଥିରୁ ଆଶା ଜନକ ଫଳ ମିଳୁନାହିଁ ବୋଲି ଉପଲବ୍ଧି କରି ସେଥିରେ ଉଦ୍ୟାନ କୃଷି କରିବାକୁ ମନସ୍ଥ କରି ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କଲି। ସେମାନେ ମତେ ପ୍ରୋତ୍ସାହିତ କରି ଏମ ଆଇ ଡି ଏଚ ସ୍କିମ ବା ସ୍ବତନ୍ତ୍ର ଉଦ୍ୟାନ କୃଷି ଫସଲ ନିର୍ଦ୍ଦିଷ୍ଟ ଯୋଜନାରେ ମତେ ସାମିଲ କଲେ। ଏହି ଯୋଜନା ଅଧିନରେ ୪ ଲକ୍ଷ ଟଙ୍କା ସହାୟତା ମଧ୍ୟରୁ ସବସିଡ ଥିଲା ୨ ଲକ୍ଷ। ମତ୍ସ୍ୟ ଚାଷ ପାଇଁ ୩ ଲକ୍ଷ ୪୦ ହଜାର ଟଙ୍କା ମିଳିଛି।
ସେହିପରି ପନିପରିବା ପାଇଁ ୪ ହଜାର, ଗେଣ୍ଡୁ ଫୁଲ ଚାଷ ପାଇଁ ୪ ହଜାର, ନଡିଆରେ ୧୪ ହଜାର, ଅନ୍ୟାନ୍ୟ ଚାଷ ପାଇଁ ସବସିଡ ସହ ମୋଟ ୬୧ ହଜାର ଟଙ୍କା ସବସିଡ ପାଇଥିଲି ବୋଲି କୁହନ୍ତି ଅଭିମନ୍ୟୁ। ଏବେ ସେ ଦିନକୁ ଅଢେ଼ଇରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ଓ ସମ୍ପୂର୍ଣ୍ଣ ପରିବାରର ଆବଶ୍ୟକତାକୁ ପୂରଣ କରିବାର ଆନନ୍ଦ ଅନୁଭବ କରୁଛନ୍ତି। ସରକାରଙ୍କର ଏହି ପ୍ରୋତ୍ସାହନ ମତେ ଅନେକ ସହାୟତା ଦେଇଛି। ସେଥିପାଇଁ ମୁଁ ଆଜି ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିରେ ସହାୟକ ହୋଇଛି ବୋଲି ଅଭିମନ୍ୟୁ କହିବା ସହ ସରକାରଙ୍କୁ ଏହି ସହଯୋଗ ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ