
ଖୋର୍ଦ୍ଧା,02 ଅକ୍ଟୋବର (ହି.ସ.) ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ ଛାତ୍ର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ +୨ ଶ୍ରେଣୀର କିଛି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ପରେ ଘଟଣାଟିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆକ୍ରମଣରେ ଦଶମ ଶ୍ରେଣୀ ଛାତ୍ର ଆହତ ହୋଇଥିବାବେଳେ ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଘଟଣାଟି ସ୍କୁଲ୍ ପରିସରରେ ଘଟିଥିବା ଅଭିଯୋଗ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଜଣେ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଆକ୍ରମଣ କରିବା ପର୍ଯ୍ୟନ୍ତ ଘଟଣା କିପରି ପହଞ୍ଚିଲା, ସେନେଇ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି।ଘଟଣା ପରେ ଆହତ ଛାତ୍ରଙ୍କ ପରିବାର ଶିଳ୍ପାଞ୍ଚଳ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାବେଳେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ, ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିବା ୮ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ରେଷ୍ଟିକେଟ୍ କରିବା ପାଇଁ ସୁପାରିଶ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ସୁପାରିଶ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି କ'ଣ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।ଘଟଣାଟି କେବଳ ଛାତ୍ରଙ୍କ ମଧ୍ୟରେ ବିବାଦ ଥିଲା ନା ରାଗିଂ ସହ ଏହାର କୌଣସି ସମ୍ପର୍କ ରହିଛି, ସ୍କୁଲ୍ର ସିସି ଟିଭି ଫୁଟେଜ , ଛାତ୍ରମାନଙ୍କ ବୟାନ ଏବଂ ଅନ୍ୟ ପ୍ରମାଣ ଗୁରୁତ୍ବପୂର୍ଣ୍ଣ ହୋଇପାରେ।ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ପରିବେଶ ଦେବା ଯେକୌଣସି ଶିକ୍ଷାନୁଷ୍ଠାନର ମୌଳିକ ଦାୟିତ୍ଵ। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ସ୍କୁଲ୍ ପରିସରରେ ନିରୀକ୍ଷଣ, ଶୃଙ୍ଖଳା ଏବଂ ଛାତ୍ର ସୁରକ୍ଷା ବ୍ୟବସ୍ଥା କେତେ ପ୍ରଭାବଶାଳୀ–ସେନେଇ ଅଭିଭାବକଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସ୍ବାଭାବିକ। ପୋଲିସ ତଦନ୍ତି ଓ ବିଦ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ପଦକ୍ଷେପ ପରେ ଘଟଣାର ପ୍ରକୃତ ରହସ୍ୟ ସୃଷ୍ଟ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ