
ଝାରସୁଗୁଡ଼ା, ୦୨ ଅକ୍ଟୋବର (ହି.ସ.) - ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତରେ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାଗୁଡ଼ିକରେ ଗ୍ରାମର ବିକାଶ ତଥା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ଗ୍ରାମାଂଚଳକୁ ସ୍ୱଚ୍ଛ, ସୁନ୍ଦର ଓ ରୋଗମୁକ୍ତ ରଖିବା ପାଇଁ ସାମୂହିକ ସହଭାଗିତା ଉପରେ ଜୋର ଦିଆଯାଇଥିଲା।
ଗ୍ରାମସଭାରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅନ୍ତର୍ଗତ ବିଭିନ୍ନ ପରିମଳ ଭିତିଭୂମି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିରେ ବିଶେଷ କରି ପ୍ରତ୍ୟେକ ପରିବାର ଦ୍ୱାରା ଘରୋଇ ଶୌଚାଳୟର ନିୟମିତ ବ୍ୟବହାର, କଠିନ ଓ ତରଳ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା, ଉତ୍ସସ୍ଥଳରୁ ଓଦା, ଶୁଖିଲା, ସାନିଟାରୀ ତଥା ବିପଦଜନକ ବର୍ଜ୍ୟବସ୍ତୁର ପୃଥକୀକରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହା ସହିତ ଗ୍ରାମଗୁଡ଼ିକୁ ଖୋଲା ଶୌଚ ମୁକ୍ତ ମାନ୍ୟତା ପ୍ରଦାନ ଓ ବଜାୟ ରଖିବା ଦିଗରେ ନିଆଯାଉଥିବା ପଦକ୍ଷେପ ଏବଂ ଚାଲୁ ରହିଥିବା ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମର ଆକଳନ ସମ୍ପର୍କରେ ତର୍ଜମା କରାଯାଇଥିଲା।
ଏଥିସହ ଗ୍ରାମାଂଚଳରେ ନିରନ୍ତର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣ ଓ ପଂଚାୟତ ପ୍ରତିନିଧିମାନଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଯାଇଥିଲା। ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଂଚାୟତରେ ଗ୍ରାମବାସୀଙ୍କ ସ୍ୱତଃସ୍ଫୂର୍ତ ଏବଂ ସକ୍ରିୟ ଅଂଶଗ୍ରହଣ ଏହି ଗ୍ରାମସଭାଗୁଡ଼ିକୁ ବେଶ୍ ଫଳପ୍ରଦ ତଥା ଉତ୍ସାହଜନକ କରିପାରିଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ