
ଜୟପୁର, ୨ ଅକ୍ଟୋବର (ହି.ସ.)- ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ୍ ଅନ୍ତର୍ଗତ ମାଲିଗୁଡ଼ା ଷ୍ଟେସନ୍ ନିକଟରେ (କୋରାପୁଟ ଓ ଜୟପୁର ମଧ୍ୟରେ) ଭୂସ୍ଖଳନ ଯୋଗୁଁ କୋରାପୁଟ-ଜଗଦଲପୁର-କିରଣ୍ଡୁଲ ରେଳପଥରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଟ୍ରେନ୍ ଚଳାଚଳର ସୁରକ୍ଷା ଏବଂ ମରାମତି କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ କିଛି ଟ୍ରେନ୍ କୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୮୫୧୫ ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ ଏବଂ ୧୮୫୧୬ କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଉଭୟ ଦିଗରୁ ୪ ଅକ୍ଟୋବରରୁ ୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ। ୧୮୧୦୭ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ ୩ ଅକ୍ଟୋବରରୁ ୭ ଅକ୍ଟୋବର ପର୍ଯ୍ୟନ୍ତ ରାଉରକେଲାରୁ ବାତିଲ ରହିବ, ଯେତେବେଳେ କି ୧୮୧୦୮ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ୪ ଅକ୍ଟୋବରରୁ ୮ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଜଗଦଲପୁରରୁ ବାତିଲ ରହିବ। ୧୮୦୦୫ ହାୱଡ଼ା-ଜଗଦଲପୁର ଏକ୍ସପ୍ରେସ (ହାୱଡ଼ାରୁ ୨ରୁ ୭ ଅକ୍ଟୋବର) ଏବଂ ୧୮୦୦୬ ଜଗଦଲପୁର-ହାୱଡ଼ା ଏକ୍ସପ୍ରେସ (ଜଗଦଲପୁରରୁ ୪ରୁ ୯ ଅକ୍ଟୋବର ୨୦୨୬) ହାୱଡ଼ା ଓ କୋରାପୁଟ ମଧ୍ୟରେ ଚଳାଚଳ କରିବ କିନ୍ତୁ କୋରାପୁଟ ଓ ଜଗଦଲପୁର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ୧୮୪୪୭ ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ (ଭୁବନେଶ୍ୱରରୁ ୩ରୁ ୭ ଅକ୍ଟୋବର) ଏବଂ ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ (ଜଗଦଲପୁରରୁ ୪ରୁ ୮ ଅକ୍ଟୋବର ୨୦୨୬) ଭୁବନେଶ୍ୱର ଓ କୋରାପୁଟ ମଧ୍ୟରେ ଚଳାଚଳ କରିବ କିନ୍ତୁ କୋରାପୁଟ ଓ ଜଗଦଲପୁର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ୪ ରୁ ୭ ଅକ୍ଟୋବର ୨୦୨୬ ମଧ୍ୟରେ, ଉଭୟ ଦିଗରୁ ଚଳାଚଳ କରୁଥିବା ୫୮୫୦୧/୫୮୫୦୨ ବିଶାଖାପାଟଣା-କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ କେବଳ ବିଶାଖାପାଟଣା ଓ କୋରାପୁଟ ମଧ୍ୟରେ ଚାଲିବ ଏବଂ କୋରାପୁଟରୁ କିରଣ୍ଡୁଲ ମଧ୍ୟରେ ଏହା ବାତିଲ ରହିବ। ଯାତ୍ରୀମାନଙ୍କୁ ଟ୍ରେନ୍ ସେବାରେ ହୋଇଥିବା ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ସେହି ଅନୁଯାୟୀ ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଉଛି। ଯେଉଁ ଯାତ୍ରୀମାନଙ୍କ ପାଖରେ ସଂରକ୍ଷିତ ଟିକେଟ୍ ଅଛି, ସେମାନଙ୍କୁ ବଲ୍କ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦିଆଯାଇଛି। ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ସେହି ଅନୁଯାୟୀ ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଥିବା ବିଷୟ ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି