
ଝାରସୁଗୁଡ଼ା, ୨ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ସହରର ବମ୍ବେ ଛକ ନିକଟରେ ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ‘ଉତ୍କଳ ବାଳାଶ୍ରମ’ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟିବା ସହିତ ନାରିକେଳ ବାଡ଼େଇ ଏହି ଅନୁଷ୍ଠାନର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମଧ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, “ଝାରସୁଗୁଡ଼ା ଠାରେ ସରକାରୀ ଶିଶୁ ଯତ୍ନ ଅନୁଷ୍ଠାନ ‘ଉତ୍କଳ ବାଳାଶ୍ରମ’ର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ଅନୁଭବ କଲି। ଶିଶୁମାନଙ୍କର ସୁରକ୍ଷା, ଯତ୍ନ, ଶିକ୍ଷା ଓ ସାମଗ୍ରିକ ବିକାଶ ପାଇଁ ଏଭଳି ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମ ସମାଜର ପ୍ରତ୍ୟେକ ଶିଶୁ ନିରାପଦ ପରିବେଶରେ ବଢ଼ିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ସୁଯୋଗ ପାଇବା ଆବଶ୍ୟକ। ‘ଉତ୍କଳ ବାଳାଶ୍ରମ’ ଶିଶୁମାନଙ୍କ ପାଇଁ ସ୍ନେହ, ସୁରକ୍ଷା ଓ ଆଶାର ଏକ ନୂତନ ଠିକଣା ହେଉ, ଏହି ଅବସରରେ ମୁଁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।”
ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ନୱଲ ଅଗ୍ରୱାଲ, ସାଂସଦ ପ୍ରତିନିଧି ଶ୍ଲୋକ ସରନା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜ ବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଉପ-ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜେମ୍ସ ସମାତ, ତହସିଲଦାର ସଦାକର କୁମ୍ଭାର, ଡେପୁଟି କଲେକ୍ଟର ଅମୃତ ଆଚାର୍ଯ୍ୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ସିଡିପିଓ ସାଲମା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି)ର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟ, ଚାଇଲ୍ଡ ହେଲ୍ପଲାଇନର କର୍ମଚାରୀବୃନ୍ଦ ଏବଂ ଠକ୍କର ବାପା ସେବା ସଦନର ଅନ୍ତେବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନାଥ, ନିରାଶ୍ରୟ ତଥା ସହାୟତା ଆବଶ୍ୟକ କରୁଥିବା ଶିଶୁମାନଙ୍କର ଥଇଥାନ, ସୁରକ୍ଷା ଓ ଯତ୍ନ ନେବାରେ ଏହି ବାଳାଶ୍ରମ ଏକ ମହତ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ