
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) -ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ମାଷ୍ଟରକ୍ୟାଂଟିନ ଛକରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବିରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା । ଏହି ସତ୍ୟାଗ୍ରହରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭାରତୀୟ ଜନତାପାର୍ଟି ଏବଂ ମୋଦି ସରକାରଙ୍କର ହାତବାରିସୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ସାରା ଦେଶର ୧୩ କୋଟିର ଉର୍ଦ୍ଧ୍ୱ ଭୋଟରଙ୍କୁ ଭୋଟ ଦେବାର ଅଧିକାରରୁ ବେଆଇନ ଭାବେ ବଂଚିତ କରିଥିଲେ । ଓଡ଼ିଶାରୁ ମଧ୍ୟ ୨୭ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ କାଟି ଦିଆଯାଇଛି । ଦେଶର ଲୋକଙ୍କୁ ଭୁଆଁ ବୁଲାଇ ବିଜେପିକୁ କ୍ଷମତାସୀନ କରିବାପାଇଁ ଜ୍ଞାନେଶ କୁମାର ଜଣେ ଦେଶଦ୍ରୋହୀ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଅପରାଧ ଅକ୍ଷମଣୀୟ । ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଥିଲେ ଯେ ବେଆଇନ ଭାବେ ଫର୍ମ-୬ର ପରିବର୍ତନ କରାଯାଇଛି ।ଯେତେବେଳେ ସାଧାରଣ ଲୋକ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଶ୍ନ କରୁଛନ୍ତି ସେତେବେଳେ ଉତର ଦେଉଛି ବିଜେପି । ତେଣୁ ସମୁଦାୟ ଭୋଟ ଚୋରି କଣ ତାହା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇପଡ଼ିଛି । ସତ୍ୟାଗ୍ରହ ପରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱରରେ ଏକ ନଗର ପରିକ୍ରମା କାର୍ଯ୍ୟ ଆୟୋଜିତ ହୋଇଥିଲା । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ କଟକ ଜିଲ୍ଲାରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମାନଙ୍କର ଏକ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏହି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଏଆଇସିସି ସେବାଦଳ ଓଡ଼ିଶା ପ୍ରଭାରୀ ନରେନ୍ଦ୍ର ସିଂ ଭାଟି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଆଜିର କାର୍ଯ୍ୟକ୍ରମରେ ସୁରେଶ କୁମାର ରାଉତରାୟ, ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ମାନସ ଆଚାର୍ଯ୍ୟ, ସୁନିତା ବିଶ୍ୱାଳ, ଦୀପକ କୁମାର ସାହୁ, ରାଜୀବ ପଟ୍ଟନାୟକ, ନିରଞ୍ଜନ ନାୟକ, ଶ୍ରିୟାସ୍ମିତା ପଣ୍ଡା, ଉଷାରାଣୀ ବେହେରା, ଭୋକାଲି ସେଠୀ, ଅଜିତା କର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।.
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା