
ଜୟପୁର, ୨ ଅକ୍ଟୋବର (ହି.ସ.)- ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନଏସ ଏସ ବ୍ୟୁରୋ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରି-ଆର୍ଡି ଚୟନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରାପୁଟ ଜିଲ୍ଲାର ପ୍ରାୟ ୧୮ଟି ମହାବିଦ୍ୟାଳୟରୁ ୪୦ ଜଣ ଏନ୍.ଏସ୍.ଏସ୍. ସ୍ୱେଚ୍ଛାସେବୀ (ଛାତ୍ରଛାତ୍ରୀ) ଓ ୨୦ ଜଣ ଏନଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ଉଦ୍ଘାଟନୀ ପର୍ବରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍. ବ୍ୟୁରୋ ସଂଯୋଜକ ଡ଼. ଅରୁଣ କୁମାର ରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଶୃଙ୍ଖଳା, ନେତୃତ୍ୱ ଏବଂ ଦେଶସେବାର ମନୋଭାବ ଗଠନ କରିବାରେ ଏହିଭଳି ପ୍ରତିଭା ଚୟନ ଶିବିର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।ଛାତ୍ରଛାତ୍ରୀମାନଙ୍କ ପରେଡ୍, ଶାରୀରିକ ଦକ୍ଷତା ଓ ସାଂସ୍କୃତିକ ପ୍ରତିଭା ମୂଲ୍ୟାଙ୍କନ ପାଇଁ ଏକ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା। ଏହି ଚୟନ କମିଟିରେ କ୍ୟାପଟେନ ଲକ୍ଷ୍ମଣ ପାତ୍ର, ଲେଫ୍ଟନାଣ୍ଟ ସନ୍ତୋଷିନୀ ମୁଣ୍ଡା, ସଚିନ କୁମାର ନାୟକ, ଶ୍ରୀମତୀ ସୁକାନ୍ତି ସୟ, ଶ୍ରୀମତୀ ରଞ୍ଜୁଲତା କଂହର, ବିଶ୍ୱଜିତ ମହାନ୍ତି, ରଘୁନାଥ ଭୁଏ ଏବଂ ମନୋଜ ବେହେରା ସଦସ୍ୟ ଭାବେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ପରଖିଥିଲେ।ଶିବିରର ଉଦଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ତଥା ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ବେହେରା ଏବଂ ଶ୍ରୀମତୀ ସୁଜାତା ବେଜ ପ୍ରମୁଖ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।ଏହି ଶିବିରରୁ କୃତକାର୍ଯ୍ୟ ହୋଇଥିବା ମନୋନୀତ ୧୪ଜଣ ସ୍ୱେଚ୍ଛାସେବୀ ଆସନ୍ତା ୯ ତାରିଖରୁ ବ୍ରହ୍ମପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରି-ଆର୍ଡି ଚୟନ ପ୍ରତିଯୋଗିତାରେ ଜିଲ୍ଲା ତଥା ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରିବେ।
ହିନ୍ଦୁସ୍ଥାନ ସମାଚାର / ପିକେପି