
ପେଶାୱର (ଖାଇବର ପଖ୍ତୁନଖ୍ୱା), ପାକିସ୍ତାନ, ଅକ୍ଟୋବର ୨୦ (ହି.ସ.)। ଖାଇବର ପଖ୍ତୁନଖ୍ୱାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ଏବଂ ରାଜ୍ୟପାଳ ଶାସନ ଜାରି କରିବା ପରେ ପାକିସ୍ତାନର ସଂଘୀୟ ସରକାର ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଜାତୀୟ ଉତ୍ତରଦାୟିତ୍ୱ ବ୍ୟୁରୋ (ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ବା ଏନ୍ଏବି) ଅଧିକାରଚ୍ୟୁତ ଓ ନିଲମ୍ବିତ ମୁଖ୍ୟମନ୍ତ୍ରୀଙ୍କ ଆବାସିକ ବ୍ୟାପାରରେ ବିଶେଷ ସହାୟକ ତଥା ପ୍ରାଦେଶିକ ବିଧାନସଭା ସଦସ୍ୟ (ଏମ୍ପିଏ) ଡକ୍ଟର ଅମଜାଦ ଅଲୀ ଏବଂ ଅନ୍ୟ କେତେକଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ସମସ୍ତଙ୍କୁ ସୋମବାର ନିଜ କାର୍ଯ୍ୟାଳୟରେ ହାଜର ହେବାକୁ ଡକାଯାଇଛି। ଆୟର ଜଣାଶୁଣା ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ସେମାନଙ୍କ ଉପରେ ସନ୍ଦେହ ପ୍ରକାଶ କରାଯାଇଛି।
‘ଦି ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଅଲୀଙ୍କୁ ପେଶାୱରର ହୟାତାବାଦସ୍ଥିତ ଏନ୍ଏବି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏକ ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ କରାଯାଇଥିବା ବ୍ୟୁରୋ ପକ୍ଷରୁ କୁହାଯାଇଛି। ଏହି ଅଭିଯୋଗର ତଦନ୍ତ ପାଇଁ ଏନ୍ଏବି ପକ୍ଷରୁ ‘ନ୍ୟାସନାଲ ଆକାଉଣ୍ଟାବିଲିଟି ଅର୍ଡିନାନ୍ସ, ୧୯୯୯’ର ଧାରା ୧୯ ଅନୁଯାୟୀ ଅକ୍ଟୋବର ୧୬ ତାରିଖରେ ଅଲୀଙ୍କ ସମେତ ପାଞ୍ଚ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଅନ୍ୟ ଚାରି ଜଣ ହେଲେ ବାଚା ସୟଦ, ମହମ୍ମଦ ଆରିଫ ଶାହ, ସିରାଜ ଅହମ୍ମଦ ଏବଂ ନଭିଦ ଅହମ୍ମଦ।
ବ୍ୟୁରୋ ବିଭିନ୍ନ ହାଉସିଂ ସୋସାଇଟିଠାରୁ ସମ୍ପତ୍ତି ସମ୍ପର୍କିତ ରେକର୍ଡ ମାଗିଛି। ଏଥିରେ ଜମି ଓ ଘର ଆବଣ୍ଟନ, ମାଲିକାନା ଏବଂ ଅର୍ଥ ପୈଠ ସମ୍ପର୍କିତ ବିବରଣୀ ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ ଖାଇବର ପଖ୍ତୁନଖ୍ୱାର ଆକାଉଣ୍ଟାଣ୍ଟ ଜେନେରାଲଙ୍କଠାରୁ ଅଲୀଙ୍କ ଦରମା, ଭତ୍ତା, ଅନ୍ୟାନ୍ୟ ସୁବିଧା ଏବଂ ଯାତ୍ରା ଖର୍ଚ୍ଚ ସମ୍ପର୍କିତ ରେକର୍ଡ ମଧ୍ୟ ମଗାଯାଇଛି।
ନୋଟିସ୍ର ଅନୁପାଳନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଏନ୍ଏବି ଚେତାବନୀ ଦେଇଛି। ଅଲୀଙ୍କ ସହ ଜଡ଼ିତ ପୂର୍ବ ଅଦାଲତୀ କାର୍ଯ୍ୟାନୁଷ୍ଠାନର ପୃଷ୍ଠଭୂମିରେ ଏହି ତଦନ୍ତ ଚାଲିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା