ଆନ୍ଦୋଳନ ରାଜନୀତିର ସାଧନ ନ ପାଲଟୁ, ସମାଜରେ ବିଭାଜନର ବିପଦ : ଡକ୍ଟର ମୋହନ ଭାଗବତ
ନାଗପୁର, ଅକ୍ଟୋବର ୨୦ (ହି.ସ.)। “ସମାଜର ସମସ୍ୟା ବିରୋଧରେ ଆନ୍ଦୋଳନ ହେବା ସ୍ୱାଭାବିକ, କିନ୍ତୁ ଆନ୍ଦୋଳନର ଉଦ୍ଦେଶ୍ୟ ସମସ୍ୟାର ସମାଧାନ ଖୋଜିବା ହେବା ଉଚିତ। ଯଦି ଆନ୍ଦୋଳନ ରାଜନୀତିର ମାଧ୍ୟମ ପାଲଟିଯାଏ କିମ୍ବା କୌଣସି ବ୍ୟକ୍ତି, ଗୋଷ୍ଠୀ ଅଥବା ବିଚାରଧାରା ପ୍ରତି ଶତ୍ରୁତା ଭାବନା ନେଇ ପରିଚାଳିତ ହୁ
सरसंघचालक डॉ मोहन भागवत नागपुर मे आयोजित विजयादशमी महोत्सव मे पाथेय देते हुए


ନାଗପୁର, ଅକ୍ଟୋବର ୨୦ (ହି.ସ.)। “ସମାଜର ସମସ୍ୟା ବିରୋଧରେ ଆନ୍ଦୋଳନ ହେବା ସ୍ୱାଭାବିକ, କିନ୍ତୁ ଆନ୍ଦୋଳନର ଉଦ୍ଦେଶ୍ୟ ସମସ୍ୟାର ସମାଧାନ ଖୋଜିବା ହେବା ଉଚିତ। ଯଦି ଆନ୍ଦୋଳନ ରାଜନୀତିର ମାଧ୍ୟମ ପାଲଟିଯାଏ କିମ୍ବା କୌଣସି ବ୍ୟକ୍ତି, ଗୋଷ୍ଠୀ ଅଥବା ବିଚାରଧାରା ପ୍ରତି ଶତ୍ରୁତା ଭାବନା ନେଇ ପରିଚାଳିତ ହୁଏ, ତେବେ ଏହା ସମାଜରେ ବିଭାଜନ ସୃଷ୍ଟି କରିପାରେ।” ଏହି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ସରସଂଘଚାଳକ ଡକ୍ଟର ମୋହନ ଭାଗବତ। ଆନ୍ଦୋଳନକାରୀ, ଶାସନ-ପ୍ରଶାସନ ଏବଂ ରାଜନୈତିକ ନେତାମାନଙ୍କୁ ସେ ଅପିଲ୍ କରିଛନ୍ତି ଯେ, ସେମାନଙ୍କ କାର୍ଯ୍ୟ ଯୋଗୁଁ ସମାଜରେ ଶତ୍ରୁତା, ତିକ୍ତତା ଓ ବିଭାଜନର ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାପନ ଅବସରରେ ନାଗପୁରର ରେଶିମବାଗ ମଇଦାନରେ ଆୟୋଜିତ ବିଜୟାଦଶମୀ ଓ ଶସ୍ତ୍ରପୂଜନ ସମାରୋହକୁ ସମ୍ବୋଧିତ କରି ଡକ୍ଟର ଭାଗବତ କହିଥିଲେ ଯେ, ସମାଜରେ ସମସ୍ୟା ରହିବା ଏବଂ ବ୍ୟବସ୍ଥାରେ ତ୍ରୁଟି ରହିବା ସ୍ୱାଭାବିକ। ଏପରି ପରିସ୍ଥିତିରେ ଆନ୍ଦୋଳନ ହୋଇପାରେ, କିନ୍ତୁ ଭାବନାର ତୀବ୍ରତା ସତ୍ତ୍ୱେ ଆନ୍ଦୋଳନକାରୀଙ୍କ ଆଚରଣ ସମ୍ବିଧାନ ଓ ଆଇନର ସୀମା ମଧ୍ୟରେ ରହିବା ଆବଶ୍ୟକ। କଥାବାର୍ତ୍ତା, ବ୍ୟବହାର ଏବଂ ପରସ୍ପର ସହ ମତ ବିନିମୟ କରିବା ସମୟରେ ଶାଳୀନତା ବଜାୟ ରଖିବା ଜରୁରୀ।

ସେ କହିଥିଲେ ଯେ, ରାଜନୈତିକ ଲାଭ, ଶସ୍ତା ଲୋକପ୍ରିୟତା କିମ୍ବା ସ୍ୱାର୍ଥ ପାଇଁ ବିବେକ ଓ ସଦ୍ଭାବନାକୁ ଜଳାଞ୍ଜଳି ଦେବା ଉଚିତ ନୁହେଁ। ଆନ୍ଦୋଳନ ପଛରେ ଏହି ଭାବନା ରହିବା ଉଚିତ ଯେ, ଦେଶ ଓ ସମାଜ ଆମର ଏବଂ ବ୍ୟବସ୍ଥା ପ୍ରତି ଆମର ମଧ୍ୟ ଦାୟିତ୍ୱ ରହିଛି। ଯଦି ଅନ୍ୟାୟର ଭାବନାକୁ ନିରନ୍ତର ଉସୁକାଇ ବ୍ୟବସ୍ଥା ପ୍ରତି ଅବିଶ୍ୱାସ ସୃଷ୍ଟି କରାଯାଏ, ତେବେ ଏହାର ଲାଭ ଦେଶକୁ ଦୁର୍ବଳ କରୁଥିବା ଶକ୍ତିମାନେ ଉଠାଇପାରନ୍ତି।

ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେଉ

ଡକ୍ଟର ଭାଗବତ ଆହ୍ୱାନ କରି କହିଥିଲେ ଯେ, ସମାଜର ସମସ୍ତ ସମସ୍ୟାର ସମାଧାନ କେବଳ ସରକାରଙ୍କ ମାଧ୍ୟମରେ କିମ୍ବା କେବଳ ଆନ୍ଦୋଳନ ଦ୍ୱାରା ସମ୍ଭବ ନୁହେଁ। ସମାଜର ସକ୍ରିୟ ଅଂଶଗ୍ରହଣ ଏବଂ ପାରସ୍ପରିକ ଆଲୋଚନା ମାଧ୍ୟମରେ ମଧ୍ୟ ଅନେକ ସମସ୍ୟାର ସମାଧାନ କରାଯାଇପାରିବ।

ସମାଜରେ ପରସ୍ପର ପ୍ରତି ସନ୍ଦେହ ଓ ତିକ୍ତତା ବଢ଼ାଇବା ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ପୁରୁଣା ମତଭେଦ ଦୂର କରିବା ଆବଶ୍ୟକ। ଛୋଟ ଛୋଟ ଘଟଣାକୁ ଆଧାର କରି ଲୋକଙ୍କୁ ଉସୁକାଇ ସଂଘର୍ଷ ସୃଷ୍ଟି କରୁଥିବା ପ୍ରବୃତ୍ତିଠାରୁ ଦୂରେଇ ରହିବା ଉଚିତ ବୋଲି ସେ କହିଥିଲେ।

ନିଶା ସେବନର ଅଭ୍ୟାସ ଗମ୍ଭୀର ଜାତୀୟ ସମସ୍ୟା

ଯୁବପିଢ଼ି ମଧ୍ୟରେ ବଢ଼ୁଥିବା ନିଶା ସେବନର ଅଭ୍ୟାସ ଏବଂ ନିଶାଦ୍ରବ୍ୟର ବର୍ଦ୍ଧିତ ପ୍ରଭାବକୁ ନେଇ ସରସଂଘଚାଳକ ଚିନ୍ତା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ବିବେକ ଓ ନୈତିକ ମୂଲ୍ୟବୋଧର ଅଭାବରୁ ଯୁବପିଢ଼ି ନିଶାର କବଳରେ ପଡ଼ୁଛି। ଏହି ସମସ୍ୟା କେବଳ ଗୋଟିଏ ପରିବାର ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଏକ ଗମ୍ଭୀର ଜାତୀୟ ଆହ୍ୱାନ।

ଏହାର ମୁକାବିଲା ପାଇଁ ଶାସନ, ପ୍ରଶାସନ ଓ ସମାଜକୁ ମିଳିତ ଭାବେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପଡ଼ିବ। ନୂତନ ପିଢ଼ି ମଧ୍ୟରେ ନୈତିକ ମୂଲ୍ୟବୋଧ ଓ ସଦ୍ବିବେକ ଜାଗ୍ରତ ରଖିବା ସମାଜର ସାମୂହିକ ଦାୟିତ୍ୱ ବୋଲି ସେ କହିଥିଲେ। ନିଶା ବିରୋଧରେ ଦେଶବ୍ୟାପୀ ଜନଜାଗରଣ ଏବଂ ନିଶା ନିବାରଣ ଅଭିଯାନ ଚଳାଇବା ପାଇଁ ସଂଘର ସ୍ୱୟଂସେବକମାନେ ମଧ୍ୟ ପ୍ରୟାସ କରିବେ ବୋଲି ସେ ଘୋଷଣା କରିଥିଲେ।

ଦୈନନ୍ଦିନ ଜୀବନରେ ପଞ୍ଚ ପରିବର୍ତ୍ତନ ଆପଣାଇବାକୁ ଗୁରୁତ୍ୱ

ସଂଘର ଶତବାର୍ଷିକୀ ବର୍ଷରେ କରାଯାଇଥିବା କାର୍ଯ୍ୟଗୁଡ଼ିକର ଉଲ୍ଲେଖ କରି ଡକ୍ଟର ଭାଗବତ ସାମାଜିକ ସମରସତା, ପରିବାର ପ୍ରବୋଧନ, ପରିବେଶ ସୁରକ୍ଷା, ସ୍ୱବୋଧ ଓ ସ୍ୱଦେଶୀ ଏବଂ ନାଗରିକ କର୍ତ୍ତବ୍ୟ ପାଳନ ଭଳି ପାଞ୍ଚଟି ସୂତ୍ର ଉପରେ ଗୁରୁତ୍ୱ ଦେଇଥିଲେ।ସେ କହିଥିଲେ ଯେ, ‘ପଞ୍ଚ ପରିବର୍ତ୍ତନ’ କେବଳ ଗୋଟିଏ ବର୍ଷ ପାଇଁ ଚାଲୁଥିବା ଅଭିଯାନ ନୁହେଁ। ଏହାକୁ ଦୈନନ୍ଦିନ ଜୀବନର ଅଂଶ କରିବା ଆବଶ୍ୟକ।ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବଢ଼ୁଥିବା ବ୍ୟବହାର ସମ୍ପର୍କରେ ସେ କହିଥିଲେ ଯେ, ଏହା ସହିତ ନୈତିକ ଅନୁଶାସନ ଓ ବିବେକ ରହିବା ମଧ୍ୟ ଆବଶ୍ୟକ। ମିଥ୍ୟା ପ୍ରଚାର କରିବା କିମ୍ବା ଲୋକଙ୍କୁ ଭ୍ରମିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବା ଉଚିତ ନୁହେଁ। ଏଥିପ୍ରତି ସମାଜ ସଚେତନ ରହିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ସନ୍ଥ ରବିଦାସଙ୍କ ଅବଦାନକୁ ସ୍ମରଣ

ଡକ୍ଟର ଭାଗବତ ସନ୍ଥ ରବିଦାସଙ୍କ ଅବଦାନକୁ ମଧ୍ୟ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ବିଦେଶୀ ଆକ୍ରମଣ ଓ ଅତ୍ୟାଚାରର ସମୟରେ ସନ୍ଥ ରବିଦାସ ଧର୍ମନିଷ୍ଠା, ସାମାଜିକ ସମରସତା ଏବଂ ଭକ୍ତିଭାବନାକୁ ଜୀବନ୍ତ ରଖିଥିଲେ। ଭୟଭୀତ ସମାଜକୁ ସାହସ ଓ ଆଶ୍ୱାସନା ଦେବା ସହ ଲୋକଙ୍କ ମନୋବଳ ବଢ଼ାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ସମାରୋହରେ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମ୍ପାଦକ ସଞ୍ଜୟ ଗୁପ୍ତା ଉପସ୍ଥିତ ଥିଲେ। ଏହା ବ୍ୟତୀତ ସଂଘର ବିଦର୍ଭ ପ୍ରାନ୍ତ ସଂଘଚାଳକ ଦୀପକ ତାମଶେଟ୍ଟୀୱାର, ବିଦର୍ଭ ପ୍ରାନ୍ତ ସହସଂଘଚାଳକ ଶ୍ରୀଧର ଗାଡ଼ଗେ ଏବଂ ନାଗପୁର ମହାନଗର ସଂଘଚାଳକ ରାଜେଶ ଲୋୟାଙ୍କ ସମେତ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ଇସ୍ରାଏଲର ମିଡ୍ୱେଷ୍ଟ ଇଣ୍ଡିଆସ୍ଥିତ କନ୍ସୁଲ୍ ଜେନେରାଲ୍ ୟାନିଭ୍ ରେଭାଚ୍ ମଧ୍ୟ ଉପସ୍ଥିତ ଥିଲେ।

ଏହି ସମାରୋହରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ରାଜ୍ୟର ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଲେ, ରାଷ୍ଟ୍ର ସେବିକା ସମିତିର ପ୍ରମୁଖ ସଞ୍ଚାଳିକା ଶାନ୍ତକ୍କା, ପୂର୍ବତନ ସାଂସଦ ଅଜୟ ସଞ୍ଚେତୀ ଏବଂ ବିଧାୟକ ପରିଣୟ ଫୁକେଙ୍କ ସମେତ ଅନେକ ଜନପ୍ରତିନିଧି ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଫଡ଼ନବୀସ, କେନ୍ଦ୍ରମନ୍ତ୍ରୀ ଗଡ଼କରୀ, ବାୱନକୁଲେ ଏବଂ ବିଧାୟକ ଫୁକେ ସଂଘର ଗଣବେଶ ପରିଧାନ କରି ସମାରୋହରେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande