
ଭାଟିକାନ୍ ସିଟି, ଅକ୍ଟୋବର ୧୯ (ହି.ସ.)। ପୋପ୍ ଲିଓ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନ୍ରେ ଆଲୋଚନା କରି ରୁଷ୍ ଓ ୟୁକ୍ରେନ୍ର ଯୁଦ୍ଧ ମଧ୍ୟରେ ଫସି ରହିଥିବା ଓଲେଶ୍କି ସହରକୁ ଖାଦ୍ୟ ସାମଗ୍ରୀ ଓ ଚିକିତ୍ସା ସହାୟତା ପହଞ୍ଚାଇବା ପାଇଁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି। ଭାଟିକାନ୍ର ସୂଚନା ଅନୁଯାୟୀ, ସହରରେ ଫସି ରହିଥିବା ସାଧାରଣ ନାଗରିକଙ୍କ ସ୍ୱେଚ୍ଛାକୃତ ଓ ସୁରକ୍ଷିତ ସ୍ଥାନାନ୍ତରଣ ସୁନିଶ୍ଚିତ କରିବା ଉପରେ ମଧ୍ୟ ପୋପ୍ ଗୁରୁତ୍ୱ ଦେଇଛନ୍ତି।
ସୋମବାର ଜାରି ଏକ ବିବୃତିରେ ଭାଟିକାନ୍ କହିଛି ଯେ, ଅକ୍ଟୋବର ୧୯ ତାରିଖରେ ପୋପ୍ ଲିଓ ଓ ଜେଲେନସ୍କିଙ୍କ ମଧ୍ୟରେ ଫୋନ୍ରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ସହଯୋଗ ଦ୍ୱାରା ଓଲେଶ୍କିକୁ ଖାଦ୍ୟ ଓ ଔଷଧ ପହଞ୍ଚାଇବାର ରାସ୍ତା ଖୋଲିବା ସହ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇପାରିବ ବୋଲି ପୋପ୍ ଆଶା ପ୍ରକାଶ କରିଛନ୍ତି। ତେବେ ଏହି ଆଲୋଚନା ସମ୍ପର୍କରେ ଜେଲେନସ୍କିଙ୍କ ପକ୍ଷରୁ ତୁରନ୍ତ କୌଣସି ବିବୃତି ଜାରି କରାଯାଇନାହିଁ।
୨୦୨୨ ଫେବୃଆରୀରୁ ଓଲେଶ୍କି ସହର ରୁଷୀୟ ସେନାର ନିୟନ୍ତ୍ରଣରେ ରହିଛି। ସହରର ବାସିନ୍ଦାମାନେ ଖାଦ୍ୟ ସଙ୍କଟ କ୍ରମାଗତ ଭାବେ ଗମ୍ଭୀର ହେଉଥିବା ନେଇ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ଏବଂ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ମାନବୀୟ ସହାୟତା ପ୍ରୟାସକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି।
ଏହା ପୂର୍ବରୁ ଅକ୍ଟୋବର ୧୬ ତାରିଖରେ ପୋପ୍ ଲିଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଫୋନ୍ରେ ଆଲୋଚନା କରିଥିଲେ। ସେହି ସମୟରେ ଓଲେଶ୍କିକୁ ସହାୟତା ପହଞ୍ଚାଇବା ପାଇଁ ଯୁଦ୍ଧବିରତି ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ। ଆଲୋଚନା ପରେ କ୍ରେମଲିନ୍ ପକ୍ଷରୁ କୁହାଯାଇଥିଲା ଯେ, ସହରକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ପୋପ୍ଙ୍କ ସହ ସହଯୋଗ କରିବାକୁ ପୁଟିନ୍ ରାଜି ହୋଇଛନ୍ତି। ତେବେ କ୍ରେମଲିନ୍ର ବିବୃତିରେ ଯୁଦ୍ଧବିରତି ସମ୍ପର୍କରେ କୌଣସି ଉଲ୍ଲେଖ ନଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା