
ଆଇଚି-ନାଗୋୟା, ଅକ୍ଟୋବର ୨୦ (ହି.ସ.)। ଭାରତୀୟ ପାରା ଆଥଲେଟ୍ ପ୍ରବୀଣ ଶର୍ମା ଆଇଚି-ନାଗୋୟା ଏସୀୟ ପାରା କ୍ରୀଡ଼ା-୨୦୨୬ର ପୁରୁଷ ସଟ୍ପୁଟ୍ ଏଫ୍-୧୧ ବର୍ଗରେ କାଂସ୍ୟ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି। ନିଜର ପ୍ରଥମ ଏସୀୟ ପାରା କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ୧୯ ବର୍ଷୀୟ ପ୍ରବୀଣ ଶେଷ ପ୍ରୟାସରେ ୧୩.୮୬ ମିଟର ଦୂରକୁ ସଟ୍ପୁଟ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ତୃତୀୟ ସ୍ଥାନ ହାସଲ କରିଥିଲେ।
ଛଅ ଜଣ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରବୀଣ ଚତୁର୍ଥ ପ୍ରୟାସରେ ୧୩.୬୦ ମିଟର ଦୂରତା ହାସଲ କରିଥିଲେ। ତେବେ ଶେଷ ପ୍ରୟାସରେ ସେ ନିଜର ପ୍ରଦର୍ଶନରେ ଉନ୍ନତି ଆଣି ୧୩.୮୬ ମିଟର ଦୂରକୁ ସଟ୍ପୁଟ୍ ଫିଙ୍ଗି ପଦକ ନିଶ୍ଚିତ କରିଥିଲେ।
ଇରାନର ଅମୀରହୁସେନ୍ ଅଲୀପୁର ୧୪.୯୯ ମିଟର ଦୂରତା ହାସଲ କରି ଏସୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ଦେଶର ମହଦୀ ଓଲାଦ ୧୩.୯୩ ମିଟର ଦୂରତା ସହ ରୌପ୍ୟ ପଦକ ହାସଲ କରିଥିଲେ।
ସଟ୍ପୁଟ୍ର ଏଫ୍-୧୧ ବର୍ଗରେ ସମ୍ପୂର୍ଣ୍ଣ କିମ୍ବା ପ୍ରାୟ ସମ୍ପୂର୍ଣ୍ଣ ଦୃଷ୍ଟିହୀନତା ଥିବା ଖେଳାଳିମାନେ ଅଂଶଗ୍ରହଣ କରନ୍ତି। ୨୦୨୨ ଏସୀୟ ପାରା କ୍ରୀଡ଼ାରେ ମଧ୍ୟ ଭାରତ ଏହି ବର୍ଗରେ କାଂସ୍ୟ ପଦକ ଜିତିଥିଲା। ଚଳିତ ପ୍ରତିଯୋଗିତାରେ ପ୍ରବୀଣ ପୁଣିଥରେ କାଂସ୍ୟ ପଦକ ଜିତି ଭାରତୀୟ ପାରା ଆଥଲେଟିକ୍ସର ସଫଳତାର ଧାରାକୁ ଆଗକୁ ବଢ଼ାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା