
ଡାକ୍ତର ଅଭାବ ସାଙ୍ଗକୁ ପରୀକ୍ଷାଗାରରେ କର୍ମଚାରୀ ସଙ୍କଟ; କିଟ୍ ନଥିବାରୁ ଫେରୁଛନ୍ତି ରୋଗୀ
ଝାରସୁଗୁଡା, 22 ଅକ୍ଟୋବର (ହି.ସ.) କୋଲାବିରା ବ୍ଲକ ମୁଖ୍ୟାଳୟରେ ଥିବା ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁଁ ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ସ୍ଥାୟୀ ଡାକ୍ତରଙ୍କ ଅଭାବ, ପରୀକ୍ଷାଗାରରେ କର୍ମଚାରୀଙ୍କ ଅନିୟମିତତା ଏବଂ ପରୀକ୍ଷା ପାଇଁ ଆବଶ୍ୟକ କିଟ୍ର ଅଭାବ ରୋଗୀଙ୍କ ଦୁର୍ଦ୍ଦଶା ବଢ଼ାଇଛି। ଏହାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, ପ୍ରତିଦିନ ଶତାଧିକ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଛନ୍ତି। ସେଥିମଧ୍ୟରୁ ଅନେକ ରୋଗୀଙ୍କୁ ରୋଗ ନିର୍ଣ୍ଣୟ ପାଇଁ ବିଭିନ୍ନ ପରୀକ୍ଷା କରାଇବାକୁ ପଡ଼ୁଛି। କିନ୍ତୁ ପରୀକ୍ଷାଗାରରେ ଆବଶ୍ୟକ କର୍ମଚାରୀ ଉପସ୍ଥିତ ନ ରହିବାରୁ ନମୁନା ସଂଗ୍ରହ, ତଥ୍ୟ ଲିପିବଦ୍ଧ କରିବା ଓ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀମାନେ ଦୀର୍ଘ ସମୟ ଧରି ସଂକୀର୍ଣ୍ଣ ବାରଣ୍ଡାରେ ଧାଡ଼ିରେ ଛିଡ଼ା ହୋଇ ରହୁଛନ୍ତି। ବିଶେଷକରି ବୟସ୍କ ରୋଗୀଙ୍କ ପାଇଁ ଏହା ଅଧିକ କଷ୍ଟଦାୟକ ହୋଇପଡ଼ୁଛି।
ପରୀକ୍ଷାଗାରରେ ସରକାରଙ୍କ ପକ୍ଷରୁ ଦୁଇଜଣ ଏବଂ କ୍ରିଷ୍ଣା ଡାଇଗ୍ନୋଷ୍ଟିକ୍ ପକ୍ଷରୁ ଜଣେ, ଏହିପରି ମୋଟ ତିନିଜଣ କର୍ମଚାରୀ ନିୟୋଜିତ ହେବାର ବ୍ୟବସ୍ଥା ରହିଛି। ହେଲେ ବହୁ ସମୟରେ ଜଣେ କିମ୍ବା ଦୁଇଜଣ କର୍ମଚାରୀଙ୍କୁ ନେଇ କାମ ଚାଲୁଥିବା ଅଭିଯୋଗ ହୋଇଛି। ଏହା ସହିତ ପରୀକ୍ଷା ପାଇଁ ଆବଶ୍ୟକ କିଟ୍ ନଥିବା ଦର୍ଶାଇ ରୋଗୀଙ୍କୁ ଫେରାଇ ଦିଆଯାଉଥିବାରୁ ସେମାନେ ବାଧ୍ୟ ହୋଇ ଘରୋଇ ପରୀକ୍ଷା କେନ୍ଦ୍ରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।
ମେଡିକାଲ ଅଫିସର ଇନ୍ଚାର୍ଜ ଡା. ଘନଶ୍ୟାମ ସୋରେନ୍ କହିଛନ୍ତି ଯେ କିଟ୍ ସରିଯିବା ସମ୍ପର୍କରେ କୌଣସି କର୍ମଚାରୀ ତାଙ୍କୁ ଜଣାଇନାହାନ୍ତି। ସାଧାରଣ କିଟ୍ ସରିଗଲେ ମୁଖ୍ୟାଳୟରୁ ଅନୁମତି ନେଇ ସ୍ଥାନୀୟ ବଜାରରୁ କିଣି ସ୍ୱାସ୍ଥ୍ୟସେବା ଜାରି ରଖାଯାଇପାରିବ ବୋଲି ସେ କହିଛନ୍ତି।
ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଡା. ସୋରେନ୍ଙ୍କ ଅତିରିକ୍ତ ଦାୟିତ୍ୱ ଅଧୀନରେ ଥିବାରୁ ସେ ନିୟମିତ ଭାବେ ଏଠାକୁ ଆସିପାରୁନଥିବା ଏବଂ ମଝିରେ ମଝିରେ ଆସି ନିରୀକ୍ଷଣ କରୁଥିବା କୁହାଯାଉଛି। ଏଥିଯୋଗୁଁ ଦୈନନ୍ଦିନ କାର୍ଯ୍ୟର ତଦାରଖ ଓ ସେବା ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ରହିଛି। ଏଥିସହ ସ୍ଥାୟୀ ଡାକ୍ତର ନଥିବାରୁ ସମସ୍ତ ବିଭାଗରେ ନିୟମିତ ସେବା ମିଳୁନଥିବା ରୋଗୀମାନେ କହିଛନ୍ତି।
ସରକାର ଜନସାଧାରଣଙ୍କୁ ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଚିନ୍ତାର ବିଷୟ ହୋଇଛି। ତେଣୁ ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଅଭିଜ୍ଞ ବରିଷ୍ଠ ଟେକ୍ନିସିଆନ୍ଙ୍କ ନିଯୁକ୍ତି, ଆବଶ୍ୟକ ସଂଖ୍ୟକ କର୍ମଚାରୀ ମୁତୟନ, ପରୀକ୍ଷା କିଟ୍ର ନିରନ୍ତର ଉପଲବ୍ଧତା ଏବଂ ରୋଗୀଙ୍କ ପାଇଁ ଉପଯୁକ୍ତ ଅପେକ୍ଷାସ୍ଥଳର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ