
ପାରା ଏସୀୟ କ୍ରୀଡ଼ାରେ ଭାରତର ଚମତ୍କାର ପ୍ରଦର୍ଶନ, ପଦକ ସଂଖ୍ୟା ୧୦୦ରେ ପହଞ୍ଚିଲା
ଆଇଚି-ନାଗୋୟା, ୨୩ ଅକ୍ଟୋବର (ହି.ସ.)। ପାରା ଏସୀୟ କ୍ରୀଡ଼ା-୨୦୨୬ରେ ଭାରତୀୟ ଖେଳାଳିମାନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ପାରା ବ୍ୟାଡମିଣ୍ଟନରେ ନବୀନ ଶିବକୁମାର ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସୁମତି ଶିବନ ନିତ୍ୟା ଶ୍ରୀ ମହିଳା ଏକକରେ ରୌପ୍ୟ ପଦକ ହାସଲ କରିଛନ୍ତି। ଆଥଲେଟିକ୍ସରେ ପ୍ରମୋଦ ପୁରୁଷ ୧୫୦୦ ମିଟର ଟି-୪୬ ବର୍ଗରେ ଏବଂ ନିମିଷା ଚକ୍କୁଙ୍ଗଲପରମ୍ବିଲ ମହିଳା ଲମ୍ବ ଡିଆଁରେ ରୌପ୍ୟ ପଦକ ଜିତିଛନ୍ତି।
ଏହା ସହିତ ପାରା ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି। ଖବର ଲେଖାଯିବା ବେଳକୁ ୨୫ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୪୩ଟି କାଂସ୍ୟ ସହ ମୋଟ ୧୦୦ଟି ପଦକ ଜିତି ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି।
ପୁରୁଷ ଏକକ ଏସ୍ଏଲ୍-୪ ବର୍ଗର ଫାଇନାଲ୍ରେ ନବୀନ ଶିବକୁମାର ଇଣ୍ଡୋନେସିଆର ଫ୍ରେଡି ସେତିଆୱାନଙ୍କୁ ସିଧାସଳଖ ଦୁଇଟି ଗେମ୍ରେ ୨୧-୯, ୨୧-୧୭ରେ ପରାସ୍ତ କରିଥିଲେ। ୩୬ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ନବୀନ ପ୍ରଥମ ଗେମ୍ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଦ୍ୱିତୀୟ ଗେମ୍ରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଚ୍ୟାଲେଞ୍ଜର ସଫଳ ମୁକାବିଲା କରି ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ମହିଳା ଏକକ ବ୍ୟାଡମିଣ୍ଟନ ଫାଇନାଲ୍ରେ ଭାରତର ସୁମତି ଶିବନ ନିତ୍ୟା ଶ୍ରୀ ଚୀନ୍ର ଲି ଫେଙ୍ଗମେଇଙ୍କଠାରୁ ୧୨-୨୧, ୧୩-୨୧ରେ ପରାସ୍ତ ହୋଇଥିଲେ। ୨୬ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍ରେ ଲି ଫେଙ୍ଗମେଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ନିତ୍ୟା ଶ୍ରୀଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ଆଥଲେଟିକ୍ସର ପୁରୁଷ ୧୫୦୦ ମିଟର ଟି-୪୬ ବର୍ଗରେ ଭାରତର ପ୍ରମୋଦ ୪ ମିନିଟ୍ ୯.୬୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ଜିତିଥିଲେ। ଶ୍ରୀଲଙ୍କାର ପି. ୱାହୁମ୍ପୁରାଗେ ୪ ମିନିଟ୍ ୩.୨୫ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ କ୍ରୀଡ଼ାର ରେକର୍ଡ ସ୍ଥାପନ କରିଥିଲେ। ଫିଲିପାଇନ୍ସର କିଙ୍ଗ ଜେମ୍ସ ରେୟେସ ୪ ମିନିଟ୍ ୧୩.୮୧ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ଜିତିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା।
ମହିଳା ଲମ୍ବ ଡିଆଁ ଟି-୪୬/ଟି-୪୭ ବର୍ଗରେ ଭାରତର ନିମିଷା ଚକ୍କୁଙ୍ଗଲପରମ୍ବିଲ ୫.୩୭ ମିଟର ଡିଆଁ ମାରି ରୌପ୍ୟ ପଦକ ଜିତିଥିଲେ। ସେ ନିଜର ତୃତୀୟ ପ୍ରୟାସରେ ପଦକ ଜିତିବା ପାଇଁ ଆବଶ୍ୟକ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଶ୍ରୀଲଙ୍କାର ଧନଞ୍ଜନା ବିକ୍ରମସିଂହେ ୫.୫୨ ମିଟର ଡିଆଁ ମାରି ସ୍ୱର୍ଣ୍ଣ ପଦକ ଜିତିବା ସହ କ୍ରୀଡ଼ାର ରେକର୍ଡ ସ୍ଥାପନ କରିଥିଲେ। ଚୀନ୍ର ଜିନ୍ ଚେନ୍ ୫.୧୭ ମିଟର ଡିଆଁ ମାରି କାଂସ୍ୟ ପଦକ ହାସଲ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା