
ଆଇଚି-ନାଗୋୟା, ୨୩ ଅକ୍ଟୋବର (ହି.ସ.)। ଭାରତର ନିତେଶ କୁମାର ଏସୀୟ ପାରା କ୍ରୀଡ଼ା-୨୦୨୬ରେ ପୁରୁଷ ଏକକ ଏସ୍ଏଲ୍-୩ ବ୍ୟାଡମିଣ୍ଟନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ୍ରେ ସେ ନିଜ ଦେଶର ଖେଳାଳି ତଥା ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ପ୍ରମୋଦ ଭଗତଙ୍କୁ ସିଧାସଳଖ ଦୁଇଟି ଗେମ୍ରେ ୨୧-୧୮, ୨୧-୧୬ରେ ପରାସ୍ତ କରିଛନ୍ତି। ନିତେଶ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପ୍ରମୋଦଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଉଭୟ ଖେଳାଳି ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଏହି ମୁକାବିଲା ଭାରତୀୟ ପାରା ବ୍ୟାଡମିଣ୍ଟନ ପାଇଁ ବିଶେଷ ଗୁରୁତ୍ୱ ବହନ କରିଛି।
ବର୍ତ୍ତମାନର ପାରାଲିମ୍ପିକ୍ସ ଚାମ୍ପିୟନ ତଥା ବିଶ୍ୱ ରାଙ୍କିଂର ଶୀର୍ଷ ସ୍ଥାନରେ ଥିବା ନିତେଶ ଆରମ୍ଭରୁ ହିଁ ସଂଯମ ଓ ଆତ୍ମବିଶ୍ୱାସର ସହ ଖେଳିଥିଲେ। ପ୍ରଥମ ଗେମ୍ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ତେବେ ନିତେଶ ୨୧-୧୮ରେ ଏହି ଗେମ୍ ଜିତିଥିଲେ। ଦ୍ୱିତୀୟ ଗେମ୍ରେ ମଧ୍ୟ ପ୍ରମୋଦ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। କିନ୍ତୁ ନିତେଶ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରି ୨୧-୧୬ରେ ଗେମ୍ ସହ ମ୍ୟାଚ୍ ଜିତି ନେଇଥିଲେ।
ଏହି ବିଜୟ ସହ ନିତେଶ ଏସୀୟ ପାରା କ୍ରୀଡ଼ାର ପୁରୁଷ ଏକକ ଏସ୍ଏଲ୍-୩ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ୩୮ ବର୍ଷୀୟ ପ୍ରମୋଦ ରୌପ୍ୟ ପଦକ ଜିତିଛନ୍ତି। ପ୍ରମୋଦ ଏହା ପୂର୍ବରୁ ୨୦୧୮ ଓ ୨୦୨୨ ଏସୀୟ ପାରା କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ନିତେଶ କୁମାରଙ୍କ ସଂଘର୍ଷମୟ ଯାତ୍ରା
ହରିୟାଣାର ଚରଖି ଦାଦ୍ରିର ବାସିନ୍ଦା ନିତେଶ କୁମାରଙ୍କ ଜନ୍ମ ୧୯୯୪ ଡିସେମ୍ବର ୩୦ ତାରିଖରେ ହୋଇଥିଲା। ସେ ଆଇଆଇଟି ମାଣ୍ଡିରୁ ବିଦ୍ୟୁତ୍ ଇଞ୍ଜିନିୟରିଂରେ ଶିକ୍ଷା ଲାଭ କରିଛନ୍ତି। ପିଲାଦିନେ ତାଙ୍କର ଫୁଟବଲ୍ ପ୍ରତି ଆଗ୍ରହ ଥିଲା। କିନ୍ତୁ ୨୦୦୯ ମସିହାରେ ବିଶାଖାପାଟଣାରେ ଘଟିଥିବା ଏକ ଦୁର୍ଘଟଣା ଯୋଗୁଁ ତାଙ୍କ ଗୋଡ଼ରେ ସ୍ଥାୟୀ ଆଘାତ ଲାଗିଥିଲା। ଦୀର୍ଘ ମାସ ଧରି ଶଯ୍ୟାଶାୟୀ ରହିବା ପରେ ମଧ୍ୟ ସେ ଖେଳଠାରୁ ଦୂରେଇ ଯାଇନଥିଲେ। ଆଇଆଇଟି ମାଣ୍ଡିରେ ପଢ଼ିବା ସମୟରେ ବ୍ୟାଡମିଣ୍ଟନ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ଏବଂ ଧୀରେ ଧୀରେ ସେ ପାରା ବ୍ୟାଡମିଣ୍ଟନକୁ ନିଜର ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲେ।
୨୦୧୬ ମସିହାରେ ଫରିଦାବାଦରେ ଅନୁଷ୍ଠିତ ପାରା ଜାତୀୟ ପ୍ରତିଯୋଗିତା ଜରିଆରେ ନିତେଶ ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ ଏବଂ କାଂସ୍ୟ ପଦକ ଜିତିଥିଲେ। ୨୦୧୭ରେ ସେ ଏକକ ବର୍ଗରେ ରୌପ୍ୟ ଓ ଯୁଗଳ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୨୦ର ଜାତୀୟ ପ୍ରତିଯୋଗିତାରେ ପ୍ରମୋଦ ଭଗତ ଓ ମନୋଜଙ୍କୁ ପରାସ୍ତ କରି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏହାପରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିତେଶ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଥିଲେ। ପ୍ୟାରିସ୍ ପାରାଲିମ୍ପିକ୍ସ-୨୦୨୪ରେ ପୁରୁଷ ଏକକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ତାଙ୍କ କ୍ୟାରିୟରର ଏକ ପ୍ରମୁଖ ସଫଳତା। ସେ ୨୦୨୨ ଏସୀୟ ପାରା କ୍ରୀଡ଼ାରେ ପୁରୁଷ ଯୁଗଳରେ ସ୍ୱର୍ଣ୍ଣ, ଏକକରେ ରୌପ୍ୟ ଓ ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା