
ତାମିଲନାଡୁରେ ପ୍ରବଳ ବର୍ଷା, ତିନିଟି ଜିଲ୍ଲାରେ ସ୍କୁଲ୍ ଓ କଲେଜ ବନ୍ଦ
ଚେନ୍ନାଇ, ୨୩ ଅକ୍ଟୋବର (ହି.ସ.)। ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ ହେବା ସହିତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଚେନ୍ନାଇ ଓ ତିରୁଭଲ୍ଲୁର ସମେତ ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ହେଉଛି। ସେହିପରି ତିରୁଭନ୍ନାମଲାଇ, ଭିଲ୍ଲୁପୁରମ୍ ଓ କଲ୍ଲାକୁରିଚି ଜିଲ୍ଲାରେ ଗୁରୁବାରଠାରୁ ହେଉଥିବା ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି।
ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ତିନୋଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସମ୍ପୃକ୍ତ ଜିଲ୍ଲାପାଳମାନେ ଆଦେଶ ଜାରି କରିଛନ୍ତି।
ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଭିଲ୍ଲୁପୁରମ୍ ଓ କଲ୍ଲାକୁରିଚି ଜିଲ୍ଲାର ସରକାରୀ ଏବଂ ଘରୋଇ ସ୍କୁଲ୍ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସେହିପରି ତିରୁଭନ୍ନାମଲାଇ ଜିଲ୍ଲାରେ ସରକାରୀ ଓ ଘରୋଇ ସ୍କୁଲ୍ ସହିତ କଲେଜଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ଲଗାତାର ବର୍ଷା ଯୋଗୁଁ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହେଉଛି। ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ତାମିଲନାଡୁର ଉପକୂଳ ଅଞ୍ଚଳରେ ପ୍ରବଳ ପବନ ବହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ସମ୍ବନ୍ଧୀୟ ସତର୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ଉପକୂଳ ଅଞ୍ଚଳ, ମନ୍ନାର ଉପସାଗର ଓ କୁମାରୀ ସାଗର ଅଞ୍ଚଳରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପ୍ରବଳ ପବନ ବହିପାରେ। କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏହାବ୍ୟତୀତ ଅକ୍ଟୋବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ କେରଳ ଓ କର୍ଣ୍ଣାଟକର ଉପକୂଳ ଅଞ୍ଚଳ, ଲକ୍ଷଦ୍ୱୀପ ଏବଂ ଏହାର ନିକଟବର୍ତ୍ତୀ ମାଳଦ୍ୱୀପର ସମୁଦ୍ର ଅଞ୍ଚଳରେ ମଧ୍ୟ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ମଝିରେ ମଝିରେ ପବନର ବେଗ ଘଣ୍ଟାପ୍ରତି ୫୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି ରହିଥିବା ସମୟରେ ସମ୍ପୃକ୍ତ ସମୁଦ୍ର ଅଞ୍ଚଳକୁ ମାଛ ଧରିବାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପ୍ରବଳ ପବନ ଓ ସମୁଦ୍ରରେ ସମ୍ଭାବ୍ୟ ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।
ତାମିଲନାଡୁରେ ଲଗାତାର ବର୍ଷା ଜାରି ରହିଥିବାରୁ ଲୋକମାନଙ୍କୁ ସତର୍କ ରହିବା ସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା