
ଦୁଇ ଅଭିଯୁକ୍ତ ଗିରଫ , ବିଭିନ୍ନ ଥାନାରେ ରହିଛି ୮ରୁ ଅଧିକ ମାମଲା
କେନ୍ଦୁଝର, ୨୬ ଅକ୍ଟୋବର(ହି.ସ.) – କେନ୍ଦୁଝରରେ ବାଇକ୍ ଚୋରି ରାକେଟ୍ର ପର୍ଦ୍ଦାଫାସ୍ କରିଛି ପୋଲିସ। ବିଭିନ୍ନ ହସ୍ପିଟାଲ ଓ ଡାକ୍ତରଖାନା ପରିସରରୁ ବାଇକ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍ର ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୧୧ଟି ବାଇକ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ରୋହିତ କାରୁଆ ଓ ଗୌତମ କାରୁଆ। ତଦନ୍ତରୁ ଏହି ଗ୍ୟାଙ୍ଗ୍ର ଚୋରି କରିବାର ତରିକା ସାମ୍ନାକୁ ଆସିଛି।
କେନ୍ଦୁଝର ଟାଉନ୍ ଥାନା ଅଂଚଳରେ ଗତ କିଛିଦିନ ଧରି ବାରମ୍ବାର ବାଇକ୍ ଚୋରି ହେଉଥିବା ଅଭିଯୋଗ ଆସୁଥିଲା। ଏହାରି ମଧ୍ୟରେ ଅକ୍ଟୋବର ୮ ତାରିଖରେ ଧରଣୀଧର ମେଡିକାଲ କଲେଜ ପରିସରରୁ ଗୋଟିଏ ବାଇକ୍ ଚୋରି ଘଟଣାକୁ ନେଇ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଥିଲା।
ଏହି ମାମଲାର ତଦନ୍ତ କରିବା ସମୟରେ ପୋଲିସ ଏକ ବାଇକ୍ ଚୋରି ଗ୍ୟାଙ୍ଗ୍ର ସମ୍ପୃକ୍ତି ସମ୍ପର୍କରେ ଜାଣିବାକୁ ପାଇଥିଲା। ତଦନ୍ତ ଅନୁସାରେ, ଗତ ତିନି ମାସ ଧରି ଏହି ଗ୍ୟାଙ୍ଗ୍ ଧରଣୀଧର ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବିଭିନ୍ନ ସିଏଚ୍ସି ଓ ପିଏଚ୍ସି ପରିସରରୁ ବାଇକ୍ ଚୋରି କରୁଥିବା ସୂଚନା ମିଳିଛି।
ହସ୍ପିଟାଲକୁ ରୋଗୀଙ୍କୁ ନେଇ ଆସୁଥିବା ଲୋକମାନେ ଚିକିତ୍ସା କାର୍ଯ୍ୟରେ ବ୍ୟସ୍ତ ରହୁଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ବାଇକ୍ ଚୋରି କରୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ ପୋଲିସ ୧୧ଟି ବାଇକ୍ ଜବତ କରିବା ସହ ରୋହିତ କାରୁଆ ଓ ଗୌତମ କାରୁଆଙ୍କୁ ଗିରଫ କରିଛି। ଉଭୟଙ୍କ ଘର ସଦର ଥାନା ଓ ରୁଗୁଡ଼ି ଥାନା ଅଂଚଳରେ ବୋଲି ଜଣାପଡ଼ିଛି।
ଏହାସହ ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ୮ରୁ ଅଧିକ ମାମଲା ଥିବା ସୂଚନା ମିଳିଛି। ଗିରଫ ପରେ ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA