ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଲଇକେରା ଗସ୍ତ : ମତ୍ସ୍ୟ ଚାଷୀ ଓ ହିତାଧିକାରୀଙ୍କ ସହ ଆଲୋଚନା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
Collector visit to Laikera Block
ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଲଇକେରା ଗସ୍ତ:


ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.)- ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନାର କ୍ଷେତ୍ରସ୍ତରୀୟ ସମୀକ୍ଷା ତଥା ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଲଇକେରା ବ୍ଲକ ଗସ୍ତ କରିଥିଲେ। ଏହି ପରିଦର୍ଶନ ଅବସରରେ ଜିଲ୍ଲାପାଳ ବିଭିନ୍ନ ଯୋଜନାରେ ମିଳିଥିବା ସରକାରୀ ସହାୟତାର ସଦୁପଯୋଗ, ମତ୍ସ୍ୟଜୀବୀମାନଙ୍କ ଆର୍ଥିକ ଉନ୍ନତି ଓ ଜୀବନଧାରଣର ମାନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ତଦାରଖ କରିଥିଲେ। ଏହି ଗସ୍ତ ସମୟରେ ଲଇକେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗ, ଲଇକେରା ବ୍ଲକ ମତ୍ସ୍ୟ ବିଭାଗର ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଅଞ୍ଜଳିବାଳା ନାଏକ ଏବଂ କନିଷ୍ଠ ମତ୍ସ୍ୟ ବୈଷୟିକ କର୍ମଚାରୀ ଦିନେଶ କୁମାର ଭୂମିଜ ପ୍ରମୁଖ ଉପସ୍ଥିତ ଥିଲେ। ଗସ୍ତ କାଳରେ ସେ ହାତିଆନାଳ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ତିନି ଜଣ ସଦସ୍ୟ ଏବଂ ନିକଟିମାଲ ପଞ୍ଚାୟତର ଜଣେ ଅଗ୍ରଣୀ ମତ୍ସ୍ୟ ଚାଷୀଙ୍କ ସମେତ ମୋଟ ଚାରି ଜଣ ହିତାଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।

ପରିଦର୍ଶନ କ୍ରମରେ ଜିଲ୍ଲାପାଳ ପ୍ରଥମେ ହାତିଆନାଳ ଡ୍ୟାମ୍ ପରିଦର୍ଶନ କରିଥିଲେ ଏବଂ ସେଠାରେ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ତଥା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଅଟୋରିକ୍ସା ଓ ବାଇକ୍ ଗୁଡ଼ିକର ତଦାରଖ କରିଥିଲେ। ଏଠାରେ ରାଉତବାହାଲ ଗ୍ରାମର ଅର୍ଜୁନ କିସାନଙ୍କୁ ‘ଡିଏଜେଜିୟୁଏ’ ଯୋଜନାରେ ୯୦ ପ୍ରତିଶତ ରିହାତି (୨ ଲକ୍ଷ ୭୦ ହଜାର ଟଙ୍କା)ରେ ମିଳିଥିବା ଆଇସବକ୍ସ ଯୁକ୍ତ ତିନିଚକିଆ ଅଟୋରିକ୍ସା ଏବଂ ରାଉତବାହାଲର ଗୋକୁଳ ମାଝୀ ତଥା କେନ୍ଦିହି ଗ୍ରାମର ଗୋବର୍ଦ୍ଧନ କିସାନଙ୍କୁ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଅନ୍ତର୍ଗତ ୬୦ ପ୍ରତିଶତ ରିହାତି (୪୫ ହଜାର ଟଙ୍କା)ରେ ପ୍ରଦାନ କରାଯାଇଥିବା ଆଇସବକ୍ସ ଯୁକ୍ତ ମୋଟରସାଇକେଲର ବ୍ୟବହାର ସମ୍ପର୍କରେ ସେ ପଚାରି ବୁଝିଥିଲେ। ମାଛ ଧରିବା ପ୍ରକ୍ରିୟା, ମାଛ ଧରା ହେଉଥିବା ସମୟବିଧି, ବାର୍ଷିକ ଆୟ, ମାଛ ବିକ୍ରୟ ବ୍ୟବସ୍ଥା ଏବଂ ସରକାରୀ ଯାନବାହନ ଓ ସରଞ୍ଜାମର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହାପରେ ଜିଲ୍ଲାପାଳ ଲଇକେରା ଠାରେ ନିର୍ମାଣାଧୀନ ବସ୍ ଷ୍ଟାଣ୍ଡ ପରିଦର୍ଶନ କରିଥିଲେ। ଉକ୍ତ ସ୍ଥାନରେ ସେ ‘ମତ୍ସ୍ୟ ଯନ୍ତ୍ରପାତି ଲୋକପ୍ରିୟକରଣ ଯୋଜନା’ ଅଧୀନରେ ୪୦ ପ୍ରତିଶତ ସବସିଡି (୪ ଲକ୍ଷ ଟଙ୍କା) ରେ ପ୍ରଦାନ କରାଯାଇଥିବା ଚାରିଚକିଆ ଜୀବନ୍ତ ମାଛ ଜାଆଁଳ ପରିବହନ ଗାଡ଼ିକୁ ଯାଞ୍ଚ କରିଥିଲେ। ଏହି ଅବସରରେ ଉକ୍ତ ଯାନର ହିତାଧିକାରୀ ତଥା ନିକଟିମାଲ ପଞ୍ଚାୟତ ରଙ୍ଗିଆଟିକ୍ରା ଗ୍ରାମର ପ୍ରଗତିଶୀଳ ମତ୍ସ୍ୟ ଚାଷୀ ପ୍ରକାଶ ରୋହିଦାସ ଏବଂ ଅନ୍ୟ କ୍ଷୁଦ୍ର ମତ୍ସ୍ୟ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ସେମାନଙ୍କୁ ଉତ୍ସାହିତ କରିଥିଲେ। ସରକାରୀ ସହାୟତା ଓ ଉପକରଣ ବଳରେ କିପରି ମତ୍ସ୍ୟ ଚାଷକୁ ଏକ ସ୍ଥାୟୀ ଉଦ୍ୟୋଗରେ ପରିଣତ କରାଯାଇପାରିବ, ସେ ସମ୍ପର୍କରେ ଶ୍ରୀ ରୋହିଦାସ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ସରକାରୀ ଯୋଜନାର ସଫଳ ରୂପାୟନ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବାରେ ବେଶ ସହାୟକ ହୋଇଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ସରକାରୀ ସହାୟତାରେ ସୃଷ୍ଟି ହୋଇଥିବା ପୁଞ୍ଜି ଓ ସମ୍ପତ୍ତିର ସଠିକ ପରିଚାଳନା, ସ୍ଥାୟୀ ରକ୍ଷଣାବେକ୍ଷଣ ଏବଂ ଉନ୍ନତ କୌଶଳ ଆପଣାଇ ଚାଷୀମାନେ ନିଜର ଆୟ ବୃଦ୍ଧି କରିପାରିବେ ବୋଲି ସେ ପ୍ରକାଶ କରିବା ସହ ଉଦ୍ୟୋଗୀମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande