ଧାମନଗରରେ ବନ୍ୟା ପ୍ୟାକେଜ ଫେଲ୍, ବିହନ ଅଛି, ଚାଷୀ ପ୍ରସ୍ତୁତ; ଡିବିଟି ପୋର୍ଟାଲ ବନ୍ଦ, ଅଟକିଛି ସହାୟତା
ଭଦ୍ରକ, ୨୬ ଅକ୍ଟୋବର (ହି.ସ.) - ବନ୍ୟାରେ ଫସଲ ଉଜୁଡ଼ିଲା, ଚାଷୀଙ୍କ ଆଶା ଉଜୁଡ଼ିବାକୁ ବସିଲାଣି। ଚାଷୀଙ୍କୁ ପୁନର୍ବାର ଚାଷ କାର୍ଯ୍ୟରେ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ବନ୍ୟା ପ୍ୟାକେଜ୍ରେ ୧୦ କୋଟି ଟଙ୍କା ଘୋଷଣା ହୋଇଥିଲେ ମଧ୍ୟ ଧାମନଗର ବ୍ଲକରେ ଏହାର ସୁଫଳ ମିଳିବା ନେଇ ଅନିଶ୍ଚ
DHAMNAGAR BANYA PACKAGE FAIL


ଭଦ୍ରକ, ୨୬ ଅକ୍ଟୋବର (ହି.ସ.) - ବନ୍ୟାରେ ଫସଲ ଉଜୁଡ଼ିଲା, ଚାଷୀଙ୍କ ଆଶା ଉଜୁଡ଼ିବାକୁ ବସିଲାଣି। ଚାଷୀଙ୍କୁ ପୁନର୍ବାର ଚାଷ କାର୍ଯ୍ୟରେ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ବନ୍ୟା ପ୍ୟାକେଜ୍ରେ ୧୦ କୋଟି ଟଙ୍କା ଘୋଷଣା ହୋଇଥିଲେ ମଧ୍ୟ ଧାମନଗର ବ୍ଲକରେ ଏହାର ସୁଫଳ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ବିହନ ମହଜୁଦ ଅଛି, ଚାଷୀ କିଣିବାକୁ ପ୍ରସ୍ତୁତ; ହେଲେ ଡିବିଟି ବିକ୍ରି ପୋର୍ଟାଲ୍ ବନ୍ଦ ଥିବାରୁ ବିହନ କିଣା ଅଟକି ରହିଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ବାରମ୍ବାର ବନ୍ୟା ଯୋଗୁଁ ଧାନ ସମେତ ବିଭିନ୍ନ ପନିପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବା ପାଇଁ ଡିବିଟି ମାଧ୍ୟମରେ ସହାୟତା ଦେବାକୁ ସରକାର ଘୋଷଣା କରିଥିଲେ। କିନ୍ତୁ ନିୟମ ଅନୁଯାୟୀ, ଚାଷୀଙ୍କୁ ପ୍ରଥମେ ନିଜ ଖର୍ଚ୍ଚରେ ବିହନ କିଣିବାକୁ ପଡ଼ିବ ଏବଂ ପରେ ଅର୍ଥ ତାଙ୍କ ବ୍ୟାଙ୍କ ଖାତାକୁ ଫେରସ୍ତ ହେବ।ଏଥିପାଇଁ ବିରି ବିହନ କ୍ୱିଂଟାଲ ପ୍ରତି ୧୨,୬୨୫ ଟଙ୍କା ଓ ଧାନ ବିହନ କ୍ୱିଂଟାଲ ପ୍ରତି ୪,୧୮୦ ଟଙ୍କା ଦେଇ କିଣିବାକୁ ହେବ। ମାତ୍ର ଡିବିଟି ବିକ୍ରି ପୋର୍ଟାଲ୍ ବନ୍ଦ ଥିବାରୁ ଚାଷୀ ବିହନ କିଣିବାରୁ ବଂଚିତ ହେଉଥିବା କୁହାଯାଉଛି। ଫଳରେ ସରକାରଙ୍କ ଘୋଷଣା ଓ ତୃଣମୂଳ ସ୍ତରର ବାସ୍ତବ ସ୍ଥିତି ମଧ୍ୟରେ ତାରତମ୍ୟ ସ୍ପଷ୍ଟ ହୋଇଛି।ଚାଷର ଉପଯୁକ୍ତ ସମୟରେ ବିହନ ନମିଳିଲେ ଚାଷୀଙ୍କ କ୍ଷତି ଆହୁରି ବଢ଼ିବା ଆଶଙ୍କା ରହିଛି। ତେଣୁ ତୁରନ୍ତ ଡିବିଟି ପୋର୍ଟାଲ୍ ଖୋଲିବା ସହ ବିହନ ବିକ୍ରି ବ୍ୟବସ୍ଥା ସ୍ୱାଭାବିକ କରି ଚାଷୀଙ୍କୁ ପ୍ୟାକେଜ୍ର ସୁଫଳ ଯୋଗାଇଦେବାକୁ ଦାବି ହେଉଛି। ନଚେତ୍ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ବନ୍ୟା ପ୍ୟାକେଜ୍ ଧାମନଗର ଚାଷୀଙ୍କ ପାଇଁ କେବଳ ଘୋଷଣାରେ ସୀମିତ ରହିଯିବା ଆଶଙ୍କା ଦେଖାଦେଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande