
କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର(ହି.ସ.) – ଆଜି ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ରଘୁରାମ ଆର୍. ଆୟର ଆଜି ରାଜନଗର ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ବାତ୍ୟା ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ଡାଙ୍ଗମାଳ ସ୍ଥିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ କେନ୍ଦ୍ର, ଡାଙ୍ଗମାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ର ନିକଟସ୍ଥ ପ୍ରସ୍ତୁତି ବ୍ୟବସ୍ଥା ଏବଂ ଖମାରସାହି ଗ୍ରାମ ପଂଚାୟତ ଅନ୍ତର୍ଗତ ନାଗ ନାରାୟଣ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରିଥିଲେ। ଏହି ସମୟରେ ବାତ୍ୟାର ମୁକାବିଲା ପାଇଁ ଆଶ୍ରୟସ୍ଥଳଗୁଡ଼ିକର ପ୍ରସ୍ତୁତି, ଆବଶ୍ୟକୀୟ ମୌଳିକ ସୁବିଧା ଓ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ୍, ଆଲୋକ ବ୍ୟବସ୍ଥା, ଶୌଚାଳୟ, ପରିମଳ ଓ ସ୍ୱଚ୍ଛତା ଭଳି ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ରଖିବା ସହ ଆଶ୍ରୟସ୍ଥଳର ପରିବେଶ ସୁରକ୍ଷିତ ଓ ବ୍ୟବହାର ଯୋଗ୍ୟ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଆବଶ୍ୟକ ସ୍ଥଳେ ପ୍ରଭାବିତ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ଆଶ୍ରୟ ପ୍ରଦାନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆଗୁଆ ସମ୍ପୂର୍ଣ୍ଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ବୃଦ୍ଧା, ଦିବ୍ୟାଙ୍ଗ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଓ ଅନ୍ୟାନ୍ୟ ଅସୁରକ୍ଷିତ ବର୍ଗର ଲୋକଙ୍କୁ ଚିହ୍ନଟ କରି ଆବଶ୍ୟକ ସମୟରେ ସେମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ଏବଂ ଆଶ୍ରୟସ୍ଥଳରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍ଥାନୀୟ ପ୍ରଶାସନ, ଗ୍ରାମ ପଂଚାୟତ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବାତ୍ୟା ସମୟରେ ଯେପରି କୌଣସି ଜୀବନହାନି ନଘଟେ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ଜନସାଧାରଣଙ୍କୁ ପାଣିପାଗ ସମ୍ବନ୍ଧୀୟ ସରକାରୀ ସୂଚନା ଓ ପ୍ରଶାସନର ପରାମର୍ଶ ପାଳନ କରିବା ସହ ଆବଶ୍ୟକ ସମୟରେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ଯିବା ପାଇଁ ଅନୁରୋଧ କରାଯାଇଛି। ଜିଲ୍ଲା ପ୍ରଶାସନ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଉପରେ ନିରନ୍ତର ନଜର ରଖିବା ସହ ଜନସାଧାରଣଙ୍କ ସୁରକ୍ଷା, ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ସମସ୍ତ ବିଭାଗକୁ ସଜାଗ ରଖିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି