
କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର(ହି.ସ.) – ଆଜି ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଜିଲ୍ଲା ସ୍ତରୀୟ କୁମାର ଉତ୍ସବ ଏବଂ ଲୋକନୃତ୍ୟ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନରୋତମ ଜେନା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟ, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀ, ପଣ୍ଡିତ ପଦ୍ମନାଭ ଦାଶ, ସତୀର୍ଥର ସଭାପତି କବି ଅମର ପ୍ରସାଦ ରାଉତ, ନାଟ୍ୟ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା, ରେଡିଓ ଭାବଗ୍ରାହୀର କେନ୍ଦ୍ର ନିର୍ଦ୍ଦେଶକ ଇଂଜିନିୟର ବିଶ୍ୱଜିତ ପରିଡ଼ା, ସୁଶ୍ରୀ ସଙ୍ଗୀତା ଜେନା ପ୍ରମୁଖ ଉପସ୍ଥିତ ରହି କୁମାର ପୂର୍ଣ୍ଣିମାର ତାତ୍ପର୍ଯ୍ୟ ଏବଂ ଆମ ସାମାଜିକ ଓ ସାଂସ୍କୃତିକ ପରମ୍ପରାରେ ଲୋକନୃତ୍ୟ ମହୋତ୍ସବର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ହେନାଞ୍ଜଳି ଜେନା, ପାୟଲ ଦାସ, ଅଙ୍କିତା ପରିଡ଼ା, ରତ୍ନ ମଞ୍ଜରୀ ପରିଡ଼ା ସ୍ୱାଗତ ସଙ୍ଗୀତ ଗାଇଥିଲେ। ପ୍ରଥମେ ଅତିଥିମାନେ କଳା ନିକେତନ ପରିସରରେ ଥିବା ଅକ୍ଷୟ ମହାନ୍ତି, ଭିକାରୀ ବଳ, ଲୋକକବି ଭାବଗ୍ରାହୀ ପରିଡ଼ା ଏବଂ କବି ପତ୍ନୀ ସରୋଜିନୀ ପରିଡ଼ାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ମାଆ ଗଜଲକ୍ଷ୍ମୀଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ପରେ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ଗୀତରେ ଅଙ୍କିତା ପରିଡ଼ା, ରତ୍ନମଞ୍ଜରୀ ପରିଡ଼ା, ଲିଜାରାଣୀ ପ୍ରଧାନ, ପ୍ରତୀକ୍ଷା ନାୟକ, ଅଙ୍କିତା ସାହୁ, ଅର୍ପିତା ସାହୁ, ଅଭିଲିପ୍ସା ସାହୁ, ପ୍ରତୀକ୍ଷା ନାୟକ ଏବଂ ପ୍ରୀତିପ୍ରଜ୍ଞା ବିଶ୍ୱାଳ ଲୋକନୃତ୍ୟ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ବିମଳ ପ୍ରସାଦ ପରିଡ଼ା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରି୍ୱା ସହିତ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ ଗୋ ରାଧେ ବଂଶୀଟି ଆମର ଦିଅ ଏବଂ ନିଜ ରଚନାରୁ ଶ୍ରୀ ବଳଦେବଜୀଉ ଭଜନ ଗାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରସ୍ୱତୀ ସ୍ୱାଇଁ, ଚୈତନ୍ୟ ରାଉତ, ସ୍ୱର୍ଣ୍ଣକାନ୍ତ ପରିଡ଼ା, ରାଜେଶ ପ୍ରଧାନ, ସୁରେନ୍ଦ୍ର ରାଉତ, ମାନସୀ ବିଶ୍ୱାଳ, ସବିତା ସ୍ୱାଇଁ, ସୁପ୍ରଭା ସ୍ୱାଇଁ, ଅନୀତା ମହାରଣା, ଜୟଶ୍ରୀ ସୂତାର, ପ୍ରୀତିମୟୀ ସୂତାର, ଜାନକୀ ସୂତାର, ଉର୍ମିଳା ସୂତାର, ଜଗନ ମଳିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଗତକାଲି ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ବିଶ୍ୱ କଳାକାର ଦିବସ ପାଳିତ ହୋଇଥିଲା ଏବଂ ଶ୍ରୀ ବଳଦେବଜୀଉ ମନ୍ଦିରରେ ଅନନ୍ତ ବେଶ ଉତ୍ସବ ଉପଲକ୍ଷେ ଭଜନ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି