
କେନ୍ଦ୍ରାପଡ଼ା, ୨୬ ଅକ୍ଟୋବର(ହି.ସ.) – ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଳି, ପାଟକୁରା, ପଟ୍ଟାମୁଣ୍ଡାଇ ରୁରାଲ, କନିକା, ମାର୍ଶାଘାଇ, ଡେରାବିଶ ଓ ତାଳଚୁଆ ମେରାଇନ୍ ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅଚ୍ୟୁତପୁର ଗ୍ରାମର ପ୍ରଭାତ କୁମାର ମଳିକ (୪୪)ଙ୍କ ନିକଟରୁ ୩୧ ଲିଟର ବିଦେଶୀ ମଦ, ଭୂଇପୁର ଗ୍ରାମର ରମେଶ ଚନ୍ଦ୍ର ସିଂ(୫୪)ଙ୍କ ନିକଟରୁ ୩୬ ଲିଟର ବିଦେଶୀ ମଦ, ମାଟିଆ ଗ୍ରାମର ପ୍ରକାଶ ମଳିକ(୪୨)ଙ୍କ ନିକଟରୁ ୨୪ ଲିଟର ଦେଶୀ ମଦ ଏବଂ ସୂର୍ଯ୍ୟକାନ୍ତ ମଳିକ(୪୬)ଙ୍କ ନିକଟରୁ ୨୩ ଲିଟର ବିଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିଲା। ସେହିପରି ତାଳଶଙ୍ଗା ଗ୍ରାମର ନରେନ୍ଦ୍ର ମଳିକ(୪୪)ଙ୍କ ନିକଟରୁ ୨୭ ଲିଟର ବିଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ, ନିମପୁର ଗ୍ରାମର ସୂର୍ୟ୍ୟନାରାୟଣ ରାଉତ(୩୫)ଙ୍କ ନିକଟରୁ ୧୭ ଲିଟର ବିଦେଶୀ ମଦ ଏବଂ ଲୋକନାଥପୁର ଗ୍ରାମର ହୃଷି ମଳିକ(୩୮)ଙ୍କ ନିକଟରୁ ୨୧ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏହି ଚଢ଼ାଉରେ ମୋଟ ୧୭୯ ଲିଟର ମଦ ଓ ଦୁଇଟି ମୋଟରସାଇକେଲ ଜବତ କରାଯାଇଛି। ଏହି ଘଟଣା ସମ୍ପର୍କରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇଛି। ଉକ୍ତ ମାମଲାଗୁଡ଼ିକରେ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି