
ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.)
ଦୀପାଳିଙ୍କ ଆବେଦନ ଉପରେ ଧାର୍ଯ୍ୟ ହେଲା ୧୪ ମୁଖ୍ୟ ପ୍ରଶ୍ନ, ୨୯ରେ ପରବର୍ତ୍ତୀ ଶୁଣାଣି
ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ ଏବେ ନୂଆ ମୋଡ଼ ନେଇଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପକ୍ଷରୁ ଦାଖଲ ନିର୍ବାଚନୀ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନକୁ ନେଇ ୧୪ଟି ପ୍ରମୁଖ ଆଇନଗତ ପ୍ରଶ୍ନ ଧାର୍ଯ୍ୟ କରିଛନ୍ତି। ଆସନ୍ତା ଅକ୍ଟୋବର ୨୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ଏକକ ପୀଠରେ ମାମଲାର ଶୁଣାଣି ସମୟରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଓ ଦସ୍ତାବିଜକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଆବଶ୍ୟକ ଦସ୍ତାବିଜ ଦାଖଲ ନକରିବା ଏବଂ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ନକରିବା ଅଭିଯୋଗରେ ସୁନ୍ଦରଗଡ଼ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଶାଖା ପ୍ରବନ୍ଧକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ ଜାରି ହୋଇଛି। ଏଥିସହ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ମୂଳ ଦସ୍ତାବିଜ ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ୧୪ଟି ମୁଖ୍ୟ ପ୍ରଶ୍ନ ମଧ୍ୟରେ ପ୍ରାର୍ଥୀଙ୍କ ଫର୍ମ-୨୬ ସତ୍ୟପାଠରେ ଅପରାଧିକ ମାମଲା ଓ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଲୁଚାଯାଇଥିଲା କି ନାହିଁ, ଷ୍ଟାମ୍ପ ପେପରରେ ତ୍ରୁଟି ରହିଛି କି ନାହିଁ ଏବଂ ଫର୍ମ-୧୭ସିରେ ଅନିୟମିତତା ହୋଇଛି କି ନାହିଁ, ସେସବୁ ପ୍ରସଙ୍ଗ ସାମିଲ ରହିଛି। ଏହା ସହ ୧୭,୮୨୧ଟି ଅବୈଧ ଭୋଟ ଗଣନା ହୋଇଥିବା ନେଇ ଉଠିଥିବା ଅଭିଯୋଗର ଆଇନଗତ ଦିଗ ମଧ୍ୟ ବିଚାର ପରିସରକୁ ଆସିବ।
ନିର୍ବାଚନରେ ମାତ୍ର ୧,୩୩୩ ଭୋଟର ବ୍ୟବଧାନ ଥିବାରୁ ଅଭିଯୋଗଗୁଡ଼ିକ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥିଲା କି ନାହିଁ, ତାହା ଏହି ମାମଲାର ଏକ ପ୍ରମୁଖ ବିଚାର୍ଯ୍ୟ ବିଷୟ ହେବ। ଆବଶ୍ୟକ ପଡ଼ିଲେ ପୁନଃ ଭୋଟ ଗଣନା କରାଯିବ କିମ୍ବା ଉପନିର୍ବାଚନର ଆବଶ୍ୟକତା ରହିଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ଆଇନ ଅନୁଯାୟୀ ବିଚାର ହେବ।
ତେବେ ହାଇକୋର୍ଟ ୧୪ଟି ମୁଖ୍ୟ ପ୍ରଶ୍ନ ଧାର୍ଯ୍ୟ କରିବା ଅର୍ଥ ନିର୍ବାଚନକୁ ରଦ୍ଦ କରିଦିଆଯାଇଛି କିମ୍ବା ଉପନିର୍ବାଚନ ହେବା ନିଶ୍ଚିତ ହୋଇଛି, ତାହା ନୁହେଁ। ଏହା ମାମଲାରେ ଉଠିଥିବା ବିବାଦୀୟ ପ୍ରସଙ୍ଗଗୁଡ଼ିକର ବିଚାର ପାଇଁ ଏକ ଆଇନଗତ ପଦକ୍ଷେପ। ଆଗାମୀ ଶୁଣାଣି ଓ ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ପରେ ହିଁ ମାମଲାର ଦିଗ ସ୍ପଷ୍ଟ ହେବ।
ଝାରସୁଗୁଡ଼ାର ରାଜନୈତିକ ମହଲରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଅକ୍ଟୋବର ୨୯ ତାରିଖର ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ନିର୍ବାଚନୀ ଅନିୟମିତତା ସମ୍ପର୍କିତ ଅଭିଯୋଗରେ ହାଇକୋର୍ଟଙ୍କ ଆଗାମୀ ପଦକ୍ଷେପ ଏହି ମାମଲାର ଭବିଷ୍ୟତ ନିର୍ଦ୍ଧାରଣରେ ଗୁରୁତ୍ୱ ବହନ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ